Unknown

 

 

 

 

 

 

 

 

 

ଶର୍ମିଷ୍ଠା

ପଲ୍ଲୀକବି ନନ୍ଦକିଶୋର ବଳ

 

ପ୍ରଥମ ସର୍ଗ

 

ନହୁଷ ନନ୍ଦନ ନୃପେନ୍ଦ୍ର ଯଯାତି

ଶାନ୍ତିରେ ପାଳନ୍ତି ଦେଶ,

ଋତୁ-ଆବର୍ତ୍ତନେ ଋତୁରାଜ ମଧୁ

ପୃଥିବୀରେ ପରବେଶ ।

ବିହଙ୍ଗ-ବନ୍ଦିତ କିଶଳୟ ଧ୍ୱଜ

ଋତୁରାଜ କୁଳପତି,

ପ୍ରଫୁଲ୍ଲ ପ୍ରସୂନ ଧରନ୍ତି ତା ଶିରେ

ରାଜୋଚିତ ପାଟଛତି ।

ଦକ୍ଷିଣ ମଳୟ ପରିଚର ତାର

ପିକ-ପଞ୍ଚମ ତା ତୂରୀ ।

ସୁରଭି କୁସୁମ ଚହଟାଇ ବାସ

ମହକାଏ ତା ମାଧୁରୀ ।

ସହକାର ଦ୍ରୁମେ ମାଧବୀ ଲତିକା

ଦେଇଅଛି ବାହୁ ଛନ୍ଦି,

ଯୁଗଳ ମିଳନ ଜୟ ଗାଉଅଛି

ପାରୁଶେ ମିଳିନ୍ଦ ବନ୍ଦୀ

ଅଶୋକ ବଲ୍ଲରୀ ସ୍ତବକ ସ୍ତନର

ଗୁରୁଭାରେ ଆନମିତ,

ଶାଖା ଅନ୍ତରାଳେ ମଧୁର ପଞ୍ଚମେ

ଗାଏ ପିକ ପ୍ରେମ-ଗୀତ ।

ପ୍ରଫୁଲ୍ଲ ପଳାଶ ପ୍ରସୂନ ବିପିନେ

ବିକୀରେ ଲାବଣ୍ୟ ଧନ

ଝିଲ୍ଲୀ-ଝଙ୍କାରିତ ମଞ୍ଜୁଳ ବଞ୍ଜୁଳ

ନିଘଞ୍ଚ ନିକୁଞ୍ଜବନ ।

କର୍ଣ୍ଣିକାର ପୁଷ୍ପ ଦିଶେ ଅନୁପମ

ଶିରୀଷର କିବା ଶୋଭା

ଅଶେଷ ସୁଷମା ଠୁଳ ହୋଇଅଛି

ଜନମନ ନେତ୍ରଲୋଭା

ଏମନ୍ତ କାଳରେ ହସ୍ତିନା ନରେଶ

ଘେନି ଅନୁଚର ସଙ୍ଗେ

ମୃଗୟା-ଆଶୟେ ବିଜେ ବୀରବର

ଆରୋହି ତୁଙ୍ଗ ତୁରଙ୍ଗେ ।

ପୃଷ୍ଠେ ତେଜି ଦଳ ଝପଟାଇ ହୟ

ପରିକ୍ରମି ଗଲେ ଚଳି,

କାନନ- ଲକ୍ଷ୍ମୀଙ୍କ ପ୍ରିୟ କେଳିପୀଠେ

ଦେଖିଲେ ବିବିକ୍ତ ସ୍ଥଳୀ ।

ନିଚୁଳ କିଂଶୁକ ନୀପ ଚୂତ ବଟ

ପିଆଳ ତମାଳ ତାଳ

ନାରିକେଳ ପୂଗ ଖର୍ଜୁର ପନସ

ଅଶ୍ୱତଥ ଅଶନ ଶାଳ ।

ତିନ୍ଦୁକ ଇଙ୍ଗୁଦ ଶାଳୁଳ ଅର୍ଜୁନ

ଶୃଙ୍ଗାରହାର ଟଗର,

ବେଣୁ ଧବ ଜମ୍ବୁ ନିମ୍ବ ବିଲ୍ୱ ଲୋଧ୍ର

ଗୋଡ଼ିବାଣ କନିଅର,

ତିନିଶ ପଦ୍ମକ ବିଭୀତକ ପ୍ଳକ୍ଷ

କୁରବକ ଆମଳକ,

ହରୀତକୀ ଝାଉଁ ଅଗସ୍ତି ତିନ୍ତୁଡ଼ି

ସୁରତରୁ ଶାଖୋଟକ,

ମନ୍ଦାର ବକୁଳ ବଧୁଲୀ ପୁନ୍ନାଗ

ଖଦିର ଝାଉଁ ବଦର,

ଅଶୋକ ଶିରୀଷ ଚମ୍ପକ ଶିଂଶପା

ମୁଚକନ୍ଦ ଉଡ଼ୁମ୍ବର ।

ମାଧବୀ ମରୁଆ କାମିନୀ ନିଆଳୀ

ଯୂଇ ଜାଈ କୁନ୍ଦ ମଲ୍ଲୀ,

ପୁଷ୍ପଫଳଯୁତ ବିଟପୀ ବଲ୍ଲରୀ

କଅଁଳିଛି କାହିଂ କଲି ।

ଗାଢ଼େ ଛନ୍ଦାଛନ୍ଦି ବଲ୍ଲୀ ବନସ୍ପତି,

ଭାନୁକର ପ୍ରତିହତ,

ବିଜନତା ସଙ୍ଗେ ଖେଳନ୍ତି ସରାଗେ

କାନନ-ଲକ୍ଷ୍ମୀ ଉଷତ ।

ଶ୍ରୀମନ୍ତ ବସନ୍ତ-- ଆଗମେ ପ୍ରଫୁଲ୍ଲ

ବିଟପି-ବଲ୍ଲରୀପନ୍ତି

ନବବିବାହିତ ବରବଧୂ ସମ

ଯୁଗ୍ମେ ଯୁଗ୍ମେ ନିବସନ୍ତି ।

ତରୁ- ଆଲିଙ୍ଗିତା ବାତ- ଆନ୍ଦୋଳିତା

ଲଳିତ ଲବଙ୍ଗଲତା

ଦ୍ରୁମଗଣ୍ଡ ଚୁମ୍ବି ମୁହଁ ହଲାଇଣ

କହେ କି ପ୍ରଣୟ-କଥା ?

ତାରକାଖଚିତ ଗଗନ ସମାନ

ଶ୍ୟାମବନ ଶୋଭାବନ,

ତାରକା ପରାୟେ କାନନ କୁସୁମ

କିଏ କରିବ ଗଣନ !

ବନ ସରସୀରେ ବାତ- ଆନ୍ଦୋଳିତା

ଶୋଭାବତୀ କୁମୁଦିନୀ,

ସୈାଗନ୍ଧିକ ଗନ୍ଧେ ପ୍ରମୋଦିତ ଦିଗ

ହସେ ବନକମଳିନୀ ।

ବିଜନ ଗହନ ଝିଲ୍ଲୀଝଙ୍କାରିତ

ବିହଙ୍ଗମନିଷେବିତ,

ତରୁତଳେ ଚିତ୍ର ଫଳ ପତ୍ର ପୁଷ୍ପ

ଆସ୍ତରଣରୂପେ ସ୍ଥିତ ।

ରତନସନ୍ନଦ୍ଧ ବିବିଧ ପର୍ବତ

ବିହଙ୍ଗକୂଜିତ କୁଞ୍ଜ,

ଅମ୍ବରଚୁମ୍ବିତ ସୁନୀଳ ଉତ୍ତଙ୍ଗ

ଶିଖରିଶିଖରପୁଞ୍ଜ ।

ସରୋବର ବାପୀ ପଳ୍ୱଳ ତଡ଼ାଗ

କୃଶୋଦରୀ ତରଙ୍ଗିଣୀ,

ବିଚିତ୍ର ସୁନ୍ଦର ତୁଙ୍ଗ ଗିରିକୂଟ

କଳଗିରା ନିର୍ଝରିଣୀ ।

ଆୟତ ନୟନେ ଏ ଅପୂର୍ବ ଶୋଭା

ନିରେଖି ସୁଷମା ହାଟେ

ତନ୍ମୟ ବିଭୋର ହୋଇ ଯୁବାବୀର

ଗମିଲେ ଜାଙ୍ଗଳ ବାଟେ ।

ନିବିଡ଼ ବିପିନେ ଅଳପ ଦୂରରୁ

ଅବଳା ବିଳାପ-ଧ୍ୱନି

ଶୁଣି ଫେରାଇଲେ ସେହି ଆଡ଼େ ହୟ

ବିସ୍ମୟରେ ନରମଣି ।

ଦେଖିଲେ ନିଜ୍ଜଳ ଘୋରୋଦର କୂପେ

ବିରଜେ ମତ୍ତକାଶିନୀ,

ହେମଗୈାର ଅଙ୍ଗ-ଯଷ୍ଟି ଶୋଭେ ଯେହ୍ନେ

ଅଭ୍ରେ ସ୍ଥିରା ସୈାଦାମିନୀ ।

ଋଷି-ଅଭିଶାପେ କିବା ସୁର୍ଗଭ୍ରଷ୍ଟା

ଭୂପତିତା ଦେବକନ୍ୟା,

ଅବା ନାଗବାଳା ବାଟବଣା ହୋଇ

ଧରଣୀ କରିଛି ଧନ୍ୟା !

ଅଙ୍ଗ-ପ୍ରଭାପୁରେ ଆଲୋକିତ କରେ

ସେ କରାଳ କୂପୋଦରେ,

ପ୍ରଫୁଲ୍ଲ ପଙ୍କଜ ବିରାଜଇ ଯେହ୍ନେ

ପଙ୍କିଳ ଜଳାଶୟରେ ।

ଦୁଃଖ ପରିତାଙ୍ଗୀ କୁରରୀ ବିହଙ୍ଗୀ

ପ୍ରାୟ କାନ୍ଦୁଥିଲା ଦୀନା,

ଶୁଭୁଥିଲା ତାର ମଧୁର ସୁସ୍ୱର

ଯଥା ବାଦ୍ୟରାଣୀ ବୀଣା ।

ଲାବଣ୍ୟ-ତରଳ ଢଳ ଢଳ ମୁଖେ

ନୀଳ ନୟନଯୁଗଳ,

ସ୍ୱର୍ଣ୍ଣଦୀ ଉରସେ ଆନ୍ଦୋଳିତ ହୁଏ

କିଅବା ନୀଳକମଳ !

କଣ୍ଟକିତ ଅଙ୍ଗେ ବାଳା ସ୍ୱିନ୍ନକର

କରିଣ ନୃପ ଧାରଣ

ଉଦ୍ଧାରି କୂପରୁ ଦେଇ ପ୍ରବୋଧନା

କଲେ କୁଶଳ ପ୍ରଶନ ।

ପୁଛୁଁ ପରିଚୟ ନୃପତି ବାଳାର

ଲଜ୍ଜା ଦୁଃଖେ ଗଲା ମରି ।

ପିତୃ ପରିଚୟ ନ ଦେଲା କୁମାରୀ

ନିଜ ଦୁର୍ଦ୍ଦଶା ସୁମରି ।

ଅତି କଷ୍ଟେ ବାଳା କହିଲା,‘‘ଭୋ ଦେବ,

ଏହି ବାଳା ମାତୃହୀନା,

ଶ୍ରୀପଦ ଦର୍ଶନ ଏହି ବନେ ପୁଣି

ବାରେ ସେ ପାଇବ କି ନା ?’’

ହସ୍ତିନାକୁ ଗଲେ ନରେଶ ବିଶ୍ୱସ୍ତ

ରକ୍ଷୀ ଦେଇ ଶ୍ୟାମା ସଙ୍ଗେ,

ଗଲାବେଳେ ମୁଗଧା ଅନାଇଣ ଥିଲା

ସତୃଷ୍ଣେ ନୃପେ ଅପାଙ୍ଗେ ।

ସେ ବିଜନ ବନେ ସେ ମନୋମୋହନ

ରୂପେ ସେ ସୁଧା ବଚନେ,

ସେ ସୁଧା ପରଶେ ଦ୍ରବିଲା ଅବଶେ

ସୂଚି ସାତ୍ୱିକ ଲକ୍ଷଣେ ।

ରହି ରହି ଚାହିଁ ପଛକୁ କାମିନୀ

ଇତର-ନିମିତ୍ତ-ବ୍ୟାଜେ

ସତୃଷ୍ଣ ତରଳ ଅପାଙ୍ଗ ଢାଳିଲା

ନିରେଖି ତରୁଣରାଜେ ।

ଯୋଗ୍ୟ ପାତ୍ର ସଙ୍ଗେ ଭେଟ ହେଲେ ଘଟେ

କଟାକ୍ଷେ ପ୍ରାଣପ୍ରଦାନ,

ଶତବର୍ଷ ସଙ୍ଗେ ଥିଲେ, ସମଧର୍ମୀ

ନୋହିଲେ ସେ ଆନ ଆନ ।

ଘନୀଭୁତ ପ୍ରୀତି ଉଛୁଳେ ନୟନେ

ହୃଦ ହେଲେ ଉଦବେଳ,

ଜଗତର ବର ପ୍ରଣୟି-ଯୁଗର

ନେତ୍ରେ ନେତ୍ରେ ହେଲା ମେଳ ।

ଶିବ- ଧନୁଧାରୀ ରଘୁବୀର ରାମେ

ବୈଦେହୀ କଲେ ବରଣ,

ବେନି ହୃଦୟକୁ ସଂଯୋଗ କରଣେ

ଅପାଙ୍ଗ ହେଲା କାରଣ ।

ବିଧୂବଂଶବିଧୁ ଦୁଷ୍ମନ୍ତନରେଶ

ଶକୁନ୍ତଳା ସୁମିଳନେ

ନେତ୍ରେ ନେତ୍ରେ ସିନା ବିକିଲେ ପରାଣ

ବେନିଙ୍କୁ ସେ ବେନି ଜନେ ।

ଅଜ-ଇନ୍ଦୁମତୀ ସ୍ୱୟମ୍ବର ବେଳେ

ଲକ୍ଷ ନୃପଗହଳରେ

ବୈଦର୍ଭୀ ସୁନ୍ଦରୀ ଅପାଙ୍ଗେ ବରିଲେ

ପରାଣ- ଈପସିତ ବରେ ।

ବିଦର୍ଭ-ତୁନଜା ଦମୟନ୍ତୀ ସାଧ୍ବୀ

ସମାଗତ ସୁର ନରେ

ଅପାଙ୍ଗେ ଆସକ୍ତା ଦେଲେ ନଳକଣ୍ଠେ

ବରଣମାଳା ଶ୍ରୀକରେ ।

ଭସ୍ମବିଲେପିତ ଶ୍ମଶାନବିଳାସୀ

କୁଣ୍ଡଳୀ-ଭୁଷା ସନ୍ୟାସୀ-

ପଦତଳେ ନିହି ପ୍ରଣୟପସରା

ହୋଇଥିଲେ ବନବାସୀ ।

ରମଣୀଲଲାମ ଗିରିରାଜଜେମା

ତେଜି ସର୍ବ ଅଭିମାନ

ସେବିଣ ତାପସେ ହେଲେ ତପସ୍ୱିନୀ

ପାଇ ପତି-ପ୍ରତ୍ୟାଖ୍ୟାନ ।

ଅଶ୍ୱପତିସୁତା ନୃପେନ୍ଦ୍ର-ତନୁଜା

ବିପନ୍ନ କାନନଚାରୀ

ବୃଦ୍ଧ-ଅନ୍ଧ-ପିତା- ମାତା-ଅପତ୍ୟକୁ

ବରି ହେଲେ ତାଙ୍କ ନାରୀ

ପ୍ରେମିକ-ନୟନ ସାର ଦରପଣ

ଅନ୍ତର ପରୀକ୍ଷା ପାଇଁ,

ନାହିଁ ଯେବେ ପ୍ରେମ ହୃଦ ଅଭ୍ୟନ୍ତରେ

ଛାୟା ବା ପଡ଼ିବ କାହିଁ ?

ପ୍ରେମିକ-ନୟନ ସ୍ୱଚ୍ଛ ସରୋବର

ପ୍ରେମ ଆକାଶର ଇନ୍ଦୁ,

ପ୍ରେମ ଅଟେ ପୂର୍ଣ୍ଣ ଶାରଦ ଚନ୍ଦ୍ରମା

ନେତ୍ର ଉଚ୍ଛ୍ୱସିତ ସିନ୍ଧୁ ।

ଏ ଅନ୍ଧ ଭୁବନେ ହୃଦଦରଶନେ

ପ୍ରୀତି ସିନା ସୁ ଅଞ୍ଜନ,

ଆନ ଦେଖି ଯାହା ନ ପାରଇ ତାହା

ପ୍ରଣୟୀ କରେ ଦର୍ଶନ ।

•••

 

ଦ୍ୱିତୀୟ ସର୍ଗ

 

ଉଦ୍ଧାର ଲଭିଣ କୂପୁଁ ଦେବଯାନୀ

ମୃତକଳ୍ପା ଅପମାନେ

ସଖୀ ଘୂର୍ଣ୍ଣିକାକୁ ପେଶିଲେ ମାନିନୀ

ଜନକଙ୍କ ସନ୍ନିଧାନେ ।

ଶୁଣି ଶୁକ୍ରଗୁରୁ ତୁରନ୍ତ ମିଳିଲେ

ପ୍ରାଣପ୍ରିୟା ସୁତା ପାଶେ,

ପ୍ରଣମି ସେ କୂପ- ପତନ-ବୃତ୍ତାନ୍ତ

ନିବେଦେ ପିତୃ ସକାଶେ ।

‘‘ପିତଃ ! ଜଳକ୍ରୀଡ଼ା ସମାପି ସମସ୍ତେ

ତଟବଟମୂଳେ ଯାଇ

ଦେଖିଲୁଁ, ବସନ ନିଜ ନିଜ ସ୍ଥାନେ

ପୂର୍ବ ପରି ଆଉ ନାହିଁ ।

ଭ୍ରମବଶେ ରାଜ ଜେମା ମୋ ବସନ

ପିନ୍ଧନ୍ତେ ଲାଗିଲା କଳି,

ଜେମା ଦେବଦାସୀ ମୋତେ ତିରସ୍କାରି

କୂପେ ଠେଲି ଗଲା ଚାଲି ।

ମୃଗୟା-ଉଦ୍ଦେଶ୍ୟେ ହସ୍ତିନା-ଈଶ୍ୱର

ପ୍ରବେଶିଥିଲେ କାନନ,

କୂପୁଁ ଉଦ୍ଧାରଣ ରଖିଲେ ନୃପେନ୍ଦ୍ର

ତାତ ! ମୋର ଏ ଜୀବନ ।’’

ଶୁଣି ପ୍ରବୋଧିଲେ ବିଜ୍ଞ ଦୈତ୍ୟଗୁରୁ

‘‘ଅରଣ୍ୟରେ କୂପ ତଳେ

ପଡ଼ିଲୁ, ତନୟେ ! ନ କର ଶୋଚନା,

ନିଜକୃତ କର୍ମଫଳେ ।

ଏ ଜଗତେ ସର୍ବ କର୍ମର ଆୟତ୍ତ

କର୍ମ ଦୁଃଖସୁଖ ହେତୁ,

କର୍ମ କରେ ସ୍ୱର୍ଗ ନରକ ରଚନା,

ଭୋଗ ଜାତ କର୍ମକ୍ଷେତୁଁ ।

ଯୋଗବଳେ ମୁହିଁ ଜାଣିଲି ଆତ୍ମଜେ !

କୁ ଉଦ୍ଦେଶ୍ୟେ ପୁରନ୍ଦର

ମରୁତେ ବରଗି ସମାହୃତ କଲେ

ବାସ ତୁମ୍ଭମାନଙ୍କର ।’’

କହେ ଶୁତ୍ରସୁତା, ‘‘ଯାହାହେଉ ପଛେ

ବୃଷପର୍ବାସୁତା ମତେ

‘ସ୍ତାବକତନୟା’ ବୋଲି କୂପେ ଠେଲି

ଗଲା, ମୁଁ କି ତାହା ସତେ ?’’

କହନ୍ତି ଦାନବ- ଗୁରୁ ଶୁକ୍ରାଚାର୍ଯ୍ୟ

ବିଜ୍ଞ ବୃଦ୍ଧ ଶୁଦ୍ଧଚେତା,

‘‘ନହୁଷତନୟ, ଇନ୍ଦ୍ର, ବୃଷପର୍ବ,

ଜାଣନ୍ତି ଦାନବନେତା,

ସ୍ତାବକସୁତା ତୁ ନୋହୁ ଦେବଯାନୀ,

ନୁହେ ମୁହିଁ ଚାଟୁକାର,

ଧରାର ତାବତ ମନୀଷି ମଣ୍ଡଳୀ

ସ୍ତାବକ ତୋହ ପିତାର ।

ଅଚିନ୍ତ୍ୟ ନିର୍ଦ୍ୱନ୍ଦ ପରମବ୍ରହ୍ମହିଁ

ଏ ଜଗତେ ମୋର ଶକ୍ତି,

ଜୀବହିତେ ରତ ସ୍ୱୟମ୍ଭୁ ବିଧାତା

ମୋତେ କରିଥାନ୍ତି ଭକ୍ତି ।

ଶର୍ମିଷ୍ଠା ଅଜ୍ଞାନା ବାଳିକା ତା କଥା

ଧରିବା ନୁହେ ବିହିତ,

ସଖୀ ତୋର ସେହୁ, ତା ଦୋଷ, ତନୁଜେ !

କ୍ଷମା କରିବା ଉଚିତ ।

ଯେହୁ କ୍ଷମାଗୁଣେ ପର ତିରସ୍କାର

ଉପେକ୍ଷା କରଇ ଭବେ,

ଏହି ଚରାଚର ବ୍ରହ୍ମାଣ୍ଡ ଆୟତ୍ତ

ହୁଅଇ ତାହାର ଲବେ ।

ଅଶ୍ୱରଶ୍ମି ଗ୍ରାହୀ ସାଧୁସମାଜରେ

ପ୍ରକୃତ ସାରଥି ନୁହେ,

ଅଶ୍ୱସମ ଉତ୍ତେ ଜିତ କ୍ରୋଧେ ଜିଣେ

ଯେହୁ ସେ ସାରଥି ହୁଏ ।

ପ୍ରବଳ ରୋଷାଗ୍ନି ‘ପରେ କ୍ଷମାବାରି

ସେଚନ କରି ଯେ ପାରେ,

ଜୟୀ ହୁଏ ସେହି ସ୍ଥାବର ଜଙ୍ଗମ

ପୂର୍ଣ୍ଣ ଏହି ବସୁଧାରେ ।

ପର କୁକର୍ମରେ ପର ସିନା ଦୋଷୀ

ଭୁଞ୍ଜିବ ସେ ପାପଫଳ,

ତାହା ଅପରାଧେ ତୋ ଅନ୍ତର କିପାଁ

ହେବ କୋପେ ଜରଜର ?

ଭୁଜଙ୍ଗନିର୍ମୋକ ତେଜିଲା ପରାୟେ

କରେ ଯେ କ୍ରୋଧ ବର୍ଜନ,

ଜିତେନ୍ଦ୍ରିୟେ ବୋଲି ସେହି ମହାଜନେ

ପୁଜନ୍ତିଜଗତ ଜନ ।

ଶତ ବର୍ଷ ଯଜ୍ଞ ପ୍ରତିମା ପୂଜାରେ

ଯେ ଧର୍ମ ନୁହେଁ ସଞ୍ଚିତ,

କାହା ପ୍ରତି କେବେ କୁପିତ ନୋହିଲେ

ହୁଏ ସେ ପୁଣ୍ୟ ଅର୍ଜିତ ।

ବିଜ୍ଞଜନେ କେଭେଁ କ୍ରୁଦ୍ଧ ନ ହୁଅନ୍ତି

କ୍ଷମା ଧୈର୍ଯ୍ୟେ ବିଭୂଷିତ,

ତିତିକ୍ଷା ସ୍ୱର୍ଗୀୟ, କ୍ରୋଧ ନାରକୀୟ

ସ୍ଥିର କର ସୁତା ଚିତ୍ତ ।

କ୍ଷମା କଲେ ଝିଅ ! କ୍ଷମା ତ ମିଳଇ

କ୍ଷମାର ନ ମିଳେ ଅନ୍ତ,

କ୍ଷମାର ଗ୍ରହିତା କ୍ଷମାଦାତା ନୁହେଁ

ଏ ଭୁବନେ ଭାଗ୍ୟବନ୍ତ ।

ଦିବ୍ୟ ଧାମୁଁ ସୁଧା- ତରଙ୍ଗିଣୀ ତଟୁଁ

ଓହ୍ଳାଇ ଆସିଛି କ୍ଷମା

ପ୍ରାଣିହିତକର ବାରିଦଜୀବନ

ସୁନିର୍ମଳ ଧାରାସମା ।

ବଇକୁଣ୍ଠ ଗନ୍ତା ଘରୁଁ କୈବଲ୍ୟ କି

ଛିଡ଼ିକି ପଡ଼ିଛି ତଳେ ?

ସ୍ୱର୍ଗୀୟ କରଇ ଏହି ଦିବ୍ୟ କ୍ଷମା

ପାର୍ଥିବ ଶାରୀର ବଳେ ।

ସିଂହାସନାରୂଢ଼- ନୃପତି ମୁକୁଟ

ମଣି ମହାମୂଲ୍ୟ ଲଭେ,

ନୃପ-ହୃଦବେଦୀ- ଅଭିଷିକ୍ତା କ୍ଷମା

ଅଟଇ ଅମୂଲ୍ୟ ଭବେ ।

ରାଜଦଣ୍ଡ ସିନା ଉପୁଜାଏ ଭୀତି,

କ୍ଷମା ଭକତି-କାରଣ,

କ୍ଷମାମୟ ହରି ଅନନ୍ତ କ୍ଷମାରେ

ପାଳନ୍ତି ବିଶ୍ୱଭୁବନ ।

ନ୍ୟାୟେ ପାପୀ ନର ନ ପାଇବେ ମୁକ୍ତି,

କ୍ଷମା ମୁକ୍ତିଦାନେ କ୍ଷମ;

ପାର୍ଥିବ ଶକତି କ୍ଷମା ସୁସଂଯତ

ହୁଏ ଦିବ୍ୟଶକ୍ତି ସମ ।

ଦେଇଥିଲେ କ୍ଷମା ମିଳେ ତା ଅଧିକ,

ବୁଣିଥିଲେ ପାଇ ଫଳେ,

ଅପୂର୍ବ ଏକାକୀ ଜୀବାତ୍ମା ତରଇ

ମୃତ୍ୟୁନଦୀ କ୍ଷମା ବଳେ ।

ଦୋଷ ପିପୀଲିକା- ଦଂଶନ ପରାୟେ

ଘଟିଥାଏ ଅନୁକ୍ଷଣ,

ଏକକୁ ମାଇଲେ ଇତର ଦଂଶଇ

ଜୀବବଧ ଅକାରଣ ।

ଏକ ଅନ୍ତେ ଆସେ ଆନ ପିପୀଲିକା

ମାରିବା ହୁଏ ବିଫଳ,

ପ୍ରତିହିଂସାରୋଗେ ନ ହୋଇ ବିକୃତ,

ହୃଦୟ କର ନିର୍ମଳ ।

କହିବା ଲୋକ ତ ମହତ ନୁହଇ,

ମହତ ସହିବା ଜନ,

ସହିଷ୍ଣୁତାହୀନ ବାଳକ ବାଳିକା

ହୁଅନ୍ତି କ୍ରୋଧେ ଅଜ୍ଞାନ ।

କହେ କବି-କନ୍ୟା ‘‘ତବ ଉପଦେଶେ

ଜାଣଇ କ୍ଷମାମହତ୍ତ୍ବ

ଜାଣେ ଶକ୍ତି ସଙ୍ଗେ ତିତିକ୍ଷା ସୁନ୍ଦର,

ଶୁଣିଛି ଶ୍ରୀମୁଖୁଁ ତତ୍ତ୍ବ ।

କିନ୍ତୁ ଯେଉଁ ଶିଷ୍ୟା ଅଶିଷ୍ୟା ପରାଏ

କରେ ଦର୍ପ-ବ୍ୟବହାର,

କେଉଁ ମୁଖେ ମୁହିଁ ହୀନ ଭାବେ ଯାଇଁ

ସଙ୍ଗତେ ରହିବି ତାର ?

ବିଭବ ଆଚାର ବଂଶ ଜାତି ମାନ

ଘେନି ଯେହୁ ନିନ୍ଦା କରେ,

ତାର ଆସ୍ଫାଳନ ଶୁଣୁଁ ଶୁଣୁଁ କେହ୍ନେ

ରହିବଇଁ ତାହା ଘରେ ?

ସହ୍ୟ ରବି-କର ମାତ୍ରକ ଅସହ୍ୟ

ବାଲି ରବିକର ତପ୍ତ,

ଦେବୀଠାରୁ ତାର ଦାସୀ ଗର୍ବବାଣୀ

ଅନ୍ତର କରେ ସନ୍ତପ୍ତ ।

ଲାଭ- ଆଶେ ଯେଉଁ ଭୀରୁ କ୍ଳୀବଜନ

ସହେ ଧନି-ଅପମାନ,

ସେ ହୀନ ପକ୍ଷରେ ବଞ୍ଚିଥିବା ଠାରୁ

ଶ୍ରେୟସ୍କର ଯିବା ପ୍ରାଣ ।’’

ଏମନ୍ତ ସମୟେ ଦାନବ-ଈଶ୍ୱର

ମିଳିଲେ ସେହି ସ୍ଥାନରେ,

ଦାନବେଶ ଗୁରୁବାର ମାଗିଲେ ମେଲାଣି

ଦାନବରାଜ ପାଶରେ ।

‘‘ଅସୁରେଶ ! ଏତେ ଦିନ ରହି ଏଥି

ସଞ୍ଜୀବନ-ମନ୍ତ୍ର ଯୋଗେ

ଏ ଦାନବ ଦେଶ ଦେବ ଉପଦ୍ରବୁଁ

ରଖିଲଇଁ ତୁମ୍ଭ ଭୋଗେ ।

ଆମ୍ଭେ ତବ ହିତେ ଥାଉଁ ରତ ସଦା

ତବ ଅନୁଚରଗଣ

ଆମ୍ଭ ଅମଙ୍ଗଳ ଘଟାନ୍ତ ସନ୍ତତ,

କରିବୁଁ ଏଥୁଁ ଗମନ ।

ଦେବଗୁରୁସୂନୁ ଶୁଦ୍ଧଚେତା କଚ

ଶିଷ୍ୟତ୍ବ କରୁଁ ସ୍ବୀକାର

ବଧିଲେ ଅସୁରେ ଶୁଦ୍ଧ ଶାନ୍ତଚେତା

ମୋ ଶିଷ୍ୟକୁ ବାରମ୍ବାର ।

ସଞ୍ଜୀବନ ମନ୍ତ୍ର- ପ୍ରଭାବରେ କଲି

ତ୍ରିବାର ଜୀବନ ଦାନ;

ଏବେ ତବ କନ୍ୟା ହରୁଥିଲେ ମମ

ସୁତା ଦେବଯାନୀ-ପ୍ରାଣ ।’’

ବୋଲନ୍ତି ଦାନବ- ବଂଶ ଅଧିପତି

‘‘ଶୁଣ ଗୁରୋ ! ମମ ବାଣୀ,

ତୁମ୍ଭରି ଏ ରାଜ୍ୟ ଏ ପ୍ରକୃତିପୁଞ୍ଜ

ଏ ଅସୁର ରାଜଧାନୀ ।

କନ୍ଦଳ ଭିଆଇ ଅଛି ପୁରନ୍ଦର

ମିଶାଇ ସର୍ବ ବସନ,

ଅପଯଶ ମୋର ରଟିବ ସଂସାରେ

କଲେ ହେ ଗୁରୋ ! ଗମନ ।

ବୋଲିବେ ସଂସାରେ ଦାନବ ନଗରେ

ଗୁରୁ ଦକ୍ଷିଣା ଏସନ

ଗୁରୁ-ଅପମାନ, ଗୁରୁ-ଅସନ୍ତୋଷ

ତହିଁ ସଙ୍ଗେ ନିର୍ବାସନ ।

ସମ୍ମୁଖ ସମରେ ଅସମର୍ଥ ଦେବେ

କରନ୍ତି କୈାଶଳେ ହତ

ଅଧର୍ମ ଯୁଦ୍ଧରେ ଦଇବୀ ମାୟାରେ

ମୋର ପ୍ରଜା ଶତ ଶତ ।

ସମୁଦ୍ର ମନ୍ଥନେ ଏହି ଦେବଗଣେ

କରି ଭ୍ରାତୃ-ପ୍ରବଞ୍ଚନ

ଶାନ୍ତିରେ ବିଗ୍ରହ ଭିଆଇ ଚଉର୍ଯ୍ୟେ

କଲେ ଅମୃତ ଭୋଜନ ।

ଐରାବତ ହସ୍ତୀ ଉଚ୍ଚୈଃଶ୍ରବା ଅଶ୍ୱ

ଲକ୍ଷ୍ମୀ କଉସ୍ତଭ ମଣି

ପାରିଜାତ ପୁଷ୍ପ ଆମ୍ଭରି ଆଗରେ

ସମସ୍ତ ହିଁ ନେଲେ ଗଣି ।

ମନ୍ଦର ଗିରିରେ ସିନ୍ଧୁମନ୍ଥନରେ

କଲୁଁ ଆମ୍ଭେ ଯେତେ ଶ୍ରମ

ଜାଣ ତ ଆପଣ, କିନ୍ତୁ ଭଣ୍ଡି ନେଲେ

ସମସ୍ତ ସୋଦରାଧମ ।

ବିପଦ ବାନ୍ଧବ ମହର୍ଷି ଆପଣ

କରିଛି ବାଳିକା ଦୋଷ,

କ୍ଷମା କରି ଗୁରୋ ! ଶମିବ ଶର୍ମିଷ୍ଠା

ସଖୀ-ଦେବଯାନୀ-ରୋଷ ।’’

ବୋଲନ୍ତି ଆଚାର୍ଯ୍ୟ, ‘‘ହେଲେ କନ୍ୟା ତୁଷ୍ଟା

ନାହିଁ ମୋର ଅପମାନ ।’’

ଦେବଯାନୀ ପାଶେ ସ୍ନେହ ମଧୁ ଭାଷେ

କହନ୍ତି ଦାନବରାଣ ।

‘‘ହେ ଗୁରୁନନ୍ଦିନୀ ! ଶର୍ମିଷ୍ଠା ସଜନୀ,

ତା ପ୍ରତି ଏତିକି ରୁଷ୍ଟା !

କେଉଁ ପ୍ରତିକାର କଲେ ତା ଦୋଷର

ହେବ ତାହା ପ୍ରତି ତୁଷ୍ଟା ?

ସତ୍ୟ କଲି ମୁହିଁ କରିବ ସେ ତାହା,

ତେଜ ଏହି ଅଭିମାନ ।’’

ବୋଲେ ଦେବଯାନୀ, ‘‘ହେଲେ ସେ ମୋ ଦାସୀ

ପାସୋରିବ ଅପମାନ ।

ଚିରଦିନ ସେ ମୋ କରିବ ଦାସୀତ୍ବ

ଯିବ ସେ ମୋ ପତିଗୃହେ,

ହେବେ ସଦା ମୋର ଅଧୀନ ତାହାର

ଗର୍ବିତା ଦାସୀସମୂହେ ।’’

ବିଷାଦେ ସୁଦୀର୍ଘ ନିଶ୍ବାସ ତେଜିଣ

ଫେରିଲେ ଦାନବ ରାୟେ,

ଭାଳନ୍ତି ମାନସେ ‘‘କେଡ଼େ କ୍ଷୁଦ୍ର କାର୍ଯ୍ୟ-

ଫଳ କେତେଦୂର ଯାଏ ।

ନିଜ କର୍ମକର୍ତ୍ତା ନରନାରୀ ସିନା

ଦୁଃଖ ସୁଖ ହେତୁ କର୍ମ,

କିନ୍ତୁ ସେ କର୍ମର କି ମୁଳ କାରଣ

କେ କହି ପାରିବ ମର୍ମ ।

ରାଜା ରାଜ୍ୟଦାସ କାହିଁ ସ୍ନେହସ୍ଥାନ

ସେ ପରପଦେ ବିକ୍ରୀତ,

ସ୍ନେହ ଅହଙ୍କାର କର୍ତ୍ତବ୍ୟପୀଠରେ

ହୋଇଛି ମୋ ସମର୍ପିତ ।

ଜଗତର ଦାସ ହେଲେ ଯାଇ ପ୍ରଭୁ

ପଣକୁ ଭାଜନ ଜନ,

ବାହ୍ୟେ ଯା ପ୍ରଭୁ୍ତ୍ବ ସ୍ୱରୂପେ ସିନା ସେ

ସର୍ବ ସ୍ୱାର୍ଥବିସର୍ଜନ ।

•••

 

ତୃତୀୟ ସର୍ଗ

 

ନବରେ ନେଉଟି ବୃଷପର୍ବ ଜେମା

ନିଜ ଅବିହିତ କର୍ମେ

ଲଜ୍ଜିତା ହୋଇଣ ହେଲେ ଅନୁତପ୍ତା

ଦହିଲା ବିବେକ ମର୍ମେ ।

ଦାସୀହସ୍ତେ ପିତୃ- ସନ୍ନିଧେ ପେଷିଲେ

ଦୁଃଖେ ବିନୟପତର

‘‘ବିପିନରେ ଦେବ- ଯାନୀ ସଜନୀଙ୍କୁ

କୂପରୁ ଉଦ୍ଧାର କର ।

କୋପେ ଧର୍ମାଧର୍ମ- ବିଚାର ହରାଇ

ସାବଧାନ ନୋହି ଲବେ,

ସଖୀ ଅତ୍ୟାଚାରେ ଠେଲି ଦେଲା ଦାସୀ

ସଖୀକୁ କୂପଗରଭେ ।

ଉଦ୍ଧାରି, ଜନକ ! ଆଣ ଗୁରୁସୁତା

ବରଗି ବିଶ୍ୱସ୍ତ ଚର,

ଇଚ୍ଛାମତେ ତାର ପୂର୍ଣ୍ଣ କରି ବାଞ୍ଛା

ତାହା କୋପ ଶାନ୍ତ କର ।

ଏ ଅଭାଗୀ ପାଇଁ ଅସୁରକୁଳରେ

କଳଙ୍କ ନୋହୁ ଭୋ ପିତଃ;

କୃତକର୍ମ ଲାଗି ସହିବ ଏ ପ୍ରଜା

ଯେ ଦଣ୍ଡ ହେବ ବିହିତ ।

କିଛିକ୍ଷଣ ଅନ୍ତେ ଯାବତ ବୃତ୍ତାନ୍ତ

ଦାସୀ କଲା ନିବେଦନ,

ବଜ୍ରାହତା ପ୍ରାୟେ ଦାରୁଣ ବାରତା

ନୃପଜା କଲେ ଶ୍ରବଣ ।

ନୂତନ ଦାସୀତ୍ବ ବାଧିବ ବୋଲିଣ

ଶୁକ୍ରାଚାର୍ଯ୍ୟ ମହାମନା

ଦେବଯାନୀ ପାଶେ ନୃପତିସୁତାଙ୍କୁ

ଆସିବାକୁ କଲେ ମନା ।

ବିଷମ ବିପନ୍ନା ଦାନବେଶଜେମା

ଛଟପଟ ହେଲା ପ୍ରାଣ,

ନିର୍ଜନ ଗହନେ ବସି ନିଶି ଦିନ

ସୁଖ ଦୁଃଖେ କଲେ ଧ୍ୟାନ ।

ବାଲ୍ୟଦୀକ୍ଷାଗୁରୁ ମହା ଉଦାସୀନ

ଥିଲେ ରାଜଜେମାଙ୍କର,

ବିଭୂତିଭୂଷିତ ସର୍ପ ବିମଣ୍ଡିତ

ଆରଣ୍ୟ ତାପସବର ।

ଏକାକୀ ବସିଣ ଶିଷ୍ୟକୁ ସେ ତପୀ

କି ମନ୍ତ୍ର ପଢ଼ାନ୍ତି ବନେ,

କେତେଦିନ ଅନ୍ତେ ସୁକେଶୀ ନୃପଜା

ପାଇଲେ ସନ୍ତୋଷ ମନେ ।

ବିଜ୍ଞ ଦୀକ୍ଷାଗୁରୁ ଯେ ଧର୍ମ ବୁଣିଲେ

ଶର୍ମିଷ୍ଠା ମହତ ମନେ,

ଅଙ୍କୁରି ଉଠିଲା ଅଳପ ଦିନରେ

ଦୁଃଖମେଘ ବରଷଣେ ।

ନୃପଜା ସ୍ୱବଂଶ- ହିତ ସୁମରିଣ

ପିତୃପଣ ପାଞ୍ଚି ଚିତ୍ତେ,

ହେଲେ ହୃଷ୍ଟମନ ଆତ୍ମଦୁଷ୍କୃତିର

ଉପଯୁକ୍ତ ପ୍ରାୟଶ୍ଚିତ୍ତେ ।

ଆତ୍ମସୁଖ ଆଶେ ଜଳାଞ୍ଜଳି ଦେଇ

ଦାନବଶେଖର-ସୁତା

ଆଖି ଲୁହା ଛାତି ପଥର କରିଣ

ଭବ ପ୍ରତି ହେଲେ ମୃତା ।

ଆତ୍ମକୃତ ଦୋଷ ପ୍ରାୟଶ୍ଚିତ୍ତ ପାଇଁ

କଲେ ସେ ଭୀଷଣ ପଣ,

ସ୍ୱକୁଳର ହିତେ ପିତୃସତ୍ୟ କୃତେ

ସମ୍ପିଲେ ଜୀବନ ମନ ।

ଦେବଯାନୀ ପଦେ ହେଲେ ଚିରଦାସୀ

ଦେବଯାନୀ ସୁଖେ ସୁଖୀ,

ତା ହସେ ହସିଲେ ତାହା ତୋଷପାଇଁ

ତାହା ଦୁଃଖେ ହେଲେ ଦୁଃଖୀ ।

ଦେଖି ତନୟାର ବିଷାଦବେଦନା

କାନ୍ଦନ୍ତି ଜନନୀ ଦୁଃଖେ,

ଯୋଡ଼କରେ ଜେମା ପ୍ରବୋଧେ ମାତାଙ୍କୁ

ରହିବାକୁ ନିଜ ସୁଖେ ।

କହଇ, ‘‘ଜନନି ! ସ୍ୱାମୀ ପୁତ୍ର ରାଜ୍ୟ

ସମ୍ପଦ ଅଛି ତୋହର,

ସମସ୍ତଙ୍କୁ ଘେନି ସାନନ୍ଦ ମନରେ

ସୁଖେ ତୁହି ଘର କର ।

ଅଭାଗୀ ତନୟା- କଥା ଜନନି ଲୋ

ପୋଛି ପକା ସ୍ମୃତି-ପଟୁଁ,

ତପସ୍ୱନୀ ଭାଗ୍ୟେ ପାପ ଛାଡ଼ି ଆଉ

ଯାହା ଇଚ୍ଛା ତାହା ଘଟୁ ।

ଶୋଚନା ନାହିଁ ଲୋ ଜନନି ତହିଁ ମୋ

ସ୍ୱଜାତି ସ୍ୱଧର୍ମ ପାଇଁ

ଦିଏ ଯେହୁ ନିଜ ଜୀବନ, ତାଠାରୁ

ପୁଣ୍ୟବତୀ କେହି ନାହିଁ ।

ପିତୃସତ୍ୟ ଜାତି- ସ୍ୱାଧୀନତା ଲାଗି

ସମର୍ପିଛିଁ ଏ ଜୀବନ,

ଦାନବକୁଳରେ ଲାଗିବ କଳଙ୍କ

ନ ଦେଖା ମା ପ୍ରଲୋଭନ ।

ମୋର ପାଇଁ ମାତଃ ଏ ଦାନବବଂଶ

ହେବ ଛି ଛି ପରାଧୀନ,

କେଉଁ ସୁଖ ଆଶେ ଏ ଜୀବନଭାର

ସହି ହେବି ଭବେ ହୀନ ?

ତୋର ସୁତା ଯୋଗୁ ଏ ବିଶାଳ କୁଳ

ସମୂଳେ ହେବ ମା ନଷ୍ଟ !

କେତେ ନାରୀ ହେଲେ ପତିପୁତ୍ରହୀନା

ହେବ ତାଙ୍କ କେତେ କଷ୍ଟ !

ମୁଁ ସିନା ଗୋଟିଏ ସୁତା ତୋର ମାତଃ,

ଅଗଣନ ପ୍ରଜାବଂଶ

ରାଣୀ ଗୋ ତୋହରି ଆଶ୍ରିତ ସନ୍ତାନ

ହୋଇଯିବେ ପରା ଧ୍ବଂସ ।

ଜୀବନର ଖେଳା ଦୁଇ ଦିନର ମା

ଦେଖୁଁ ଦେଖୁଁ ଯାଏ ସରି,

କେତେ ନର ନାରୀ ଗଲେଣି ମା ମରି,

କେତେ ଖର୍ବ ଯିବେ ମରି !

ତାହାର କଳନା କରିଛି କିଏ ମା,

କରିବ କଳନା କିଏ ?

ମରିବା ସମସ୍ତେ- ମୁହିଁ, ତୁହି, ମା ଲୋ !

ମରିବେ ଭବେ ସଭିଏ ।

କ୍ଷଣିକ ଜୀବନ, କ୍ଷଣିକ ଯୈାବନ,

କ୍ଷଣିକ ଏ ଧନ ଜନ,

ନଶ୍ୱର ଜଗତ- ଲୀଳା ଦେଖ ମାତଃ

ସ୍ଥିର କରି ଆତ୍ମା ମନ ।

ଅସାର ଯୈାବନ- ବିଳାସ ପାଇଁ ମା

କରୁ କିଆଁ ଏତେ ଶୋକ ?

ହୃଦପଦ୍ମ ସ୍ଥିର କରି ଦେଖ ମାତଃ

ଅଦ୍ଭୁତ ଏ ବିଶ୍ୱଲୋକ

ନଶ୍ୱର ଦେହରେ ଯୈାବନ-କୁସୁମ

ଫୁଟି ଦୁଇ ଦିନେ ଝଡ଼େ,

ଗୋଡ଼ରେ ଆଡ଼େଇ ଦିଏ ତା ସଂସାର

ଖତକୁଢେ଼ ତାହା ପଡ଼େ ।

ରୋଗ-ଶୋକ-ଜରା- କୀଟ ସେ ଯୈାବନ-

କୁସୁମେ ବିକୃତ କରି

ଅଭୋଗ୍ୟ କରନ୍ତି, ନ ଚାହେଁ କେ ତାକୁ;

ନୀରବେ ପଡ଼ଇ ଝରି ।

ସୁଖ ବୋଲି ଯାକୁ କହନ୍ତି ଜଗତେ

ଆକାଶକୁସୁମ ତାହା,

ଅସୁର ସାମ୍ରାଜ୍ୟ- ଅଧୀଶ୍ୱରୀ ହୋଇ

ଜାଣୁ ମାତଃ ସୁଖ ଯାହା ।

ପ୍ରବଳପ୍ରତାପ ଦାନବଶେଖର

ବୃଷପର୍ବା ଛତ୍ରପତି

ରାଜା ହୋଇ, ଜାଣୁ କି ଘୋର ବିଷାଦେ

ଜନକ କାଳ କାଟନ୍ତି ।

ଦିବାନିଶି ପିତା ନ ପାନ୍ତି ବିଶ୍ରାମ,

ଲବେ ଚିନ୍ତା ଛାଡ଼ ନାହିଁ,

କେତେ ରକ୍ତପାତ ନ କରନ୍ତି ମାରି

ଦେବାସୁର ଭାଇ ଭାଇ

ଭାଇ ଗଳା ଭାଇ କାଟି ପକାଉଛି

ପ୍ରତିଦିନ ଶତ ଶତ,

ଭାଳି ଫାଟ ଛାତି- ଭ୍ରାତା ହସ୍ତେ ଭ୍ରାତା

ହେଉଛନ୍ତି କେତେ ହତ !

ସହସ୍ର ରମଣୀ ସ୍ୱାମି-ସୁତହୀନା

ମୃତକଳ୍ପା ନିରାଶ୍ରୟେ

ବେନି ପକ୍ଷରୁ ମା ମରନ୍ତି ଯେମାନେ

କିବା ଲାଭ ତାଙ୍କ ଜୟେ ?

ରାଜେନ୍ଦ୍ର ଭିକ୍ଷୁକ ପ୍ରଭେଦ ଜନନୀ !

ମୋ ନେତ୍ରେ ଦିଶଇ ନାହିଁ,

ଏହି ତ ସଂସାର ଏହାପାଇଁ ଏତେ

କିଆଁ ମାତା ତୁ ଲୋ ବାଇ ?

ଦେଖେଁ ମୁଁ ସଂସାରେ ସରବେ ତ ଦୁଃଖୀ

କେ ଦରିଦ୍ର କେହୁ ରୋଗୀ,

କେହୁ ଶୋକାତୁର, ପୁତ୍ରକନ୍ୟାହୀନ,

କେ ପାତକୀ ହୋଇ ଭୋଗୀ ।

ଜଗତ-ଜନତା ହାହାକାର କରି

ଡାକୁଛନ୍ତି ‘ତ୍ରାହି’ ‘ତ୍ରାହି’

ଏହା ଦେଖି ହେମ- ଇନ୍ଦ୍ରକୋଷ ନିନ୍ଦା

ମୋତେ ଭଲ ଲାଗୁ ନାହିଁ ।

ଜଗତ-ବିଷାଦ ମୋର ଶିରୋପରି

ଭାର ଲାଗେ କାହିଁପାଇଁ ?

ସେହି ଗୁରୁ ଭାର ତୁଳନାରେ ନିଜ

କ୍ଷୁଦ୍ର ଦୁଃଖଭାର କାହିଁ ?

ମୋର କ୍ଷୁଦ୍ର ଦୁଃଖ ଜଗତ ଦୁଃଖରେ

ଯାଉଛି ଗଭୀରେ ବୁଡ଼ି,

ଲୋଡ଼େ ଜଗତର ଦୁଃଖଭାର ହ୍ରାସ

ନିଜ ସ୍ୱାର୍ଥ ହୁଡ଼ି ।

‘ଏ ସଂସାର ଅଟେ ମହାଶିକ୍ଷାଭୂମି

ତ୍ୟାଗ ମହାନ ସାଧନ,

ଇତର ପରାଣୀ ସମ ନର ହେଲେ

ଜନମ ତୋ ଅକାରଣ ।

ସୁଖ ଦୁଃଖ ନୁହେଁ ଏ ଜୀବନ ଲକ୍ଷ,

ଏକା କର୍ତ୍ତବ୍ୟ ସାଧନ

ମାନବ-ଜୀବନ- ଅର୍ଣ୍ଣବ-ତରଣେ

ହୁଅଇ ସିନା କାରଣ ।’’

ଏସନ ବଚନ ଶୁଣି ତନୁଜାର

ବୃଷପର୍ବତପାଟରାଣୀ

ଝର ଝର ଅଶ୍ରୁ ନୟନୁଁ ଝରାନ୍ତି

କଣ୍ଠୁ ନ ସ୍ଫୁରଇ ବାଣୀ ।

କହନ୍ତି ‘‘ମାଆ ଲୋ ! ଏ ଅସୁର ଘରେ

ଜନ୍ମିଅଛୁ କିଏ ତୁହି ?

ତୋପରି ତନୟା ଗର୍ଭେ ଧରିଣ ଲୋ

ତିନିଲୋକେ ଧନ୍ୟା ମୁହିଁ ।

କିପରି ସାଧିଲୁ କଠୋର ବୈରାଗ୍ୟ

କି ମନ୍ତ୍ର ତାପସୀ ହେଲୁ,

ନୃପକୁଳେ ଜନ୍ମି ତପସ୍ୱିନୀ ହୋଇ

ମୋତେ ନ ଭସାଇ ଦେଲୁ ।

ପାଞ୍ଚିଥିଲି ତୁ ଲୋ ହେବୁ ସ୍ୱୟମ୍ବରା

ରତନମାଣିକ୍ୟଯୁତା,

ପାଞ୍ଚିଥିଲି ମନେ ଦେଖିବି ଜାମାତା

ତୋ କୋଳେ ତନୟ ସୁତା

କେଉଁ କୁକ୍ଷଣରେ ତନୁଜା ଲୋ ମୋର

ଦେବଜାନୀ ଗୁରୁସୁତା

ରୋଷବେଳ କଥା ସତ୍ୟ ମଣି ଦାସୀ

କଲା ହ୍ରଦମଧ୍ୟଗତା ।

ଏଡ଼େ ଭଲ ଏଡ଼େ ଶାନ୍ତ ଶିଷ୍ଟ ହୋଇ

କେମନ୍ତେ ହେଲା ଏ ଭାବ,

କିଏ ସେ କୁବୁଦ୍ଧି ଦେଲା ମାତା ତୋତେ

ହେଲା କାର ଏଥି ଲାଭ ?

ଗଲେ ଯାଇଥାନ୍ତେ ଦେବଯାନୀ ଶୁକ୍ର,

ହେବାର ଯା ହୋଇଥାନ୍ତା,

ଦୈବ କୂଟଯୁଦ୍ଧେ ଏ ଦାନବବଂଶ

ନଷ୍ଟ ହେଲେ ହୋଇଥାନ୍ତା ।

ଯେଉଁ ଆର୍ଯ୍ୟମାନେ ଦେବତା ନାମରେ

କଲେ ମୋତେ ମାନହୀନ,

ଧର୍ମ ଜାଣେ ତାଙ୍କ ଲଲାଟେ ଘଟିବ

ଘୋର ପ୍ରତିହିଂସା-ଦିନ ।

ଥିଲେ ମୋ ପ୍ରକୃତି- ପୁଞ୍ଜ ଶାନ୍ତିସୁଖେ

କେଉଁ ଦେଶୁଁ ଆସି ଆର୍ଯ୍ୟେ

ଘଟାଇଲେ ଘୋର ଅଶାନ୍ତି ବିଗ୍ରହ

ଉପୁଜାଇ ମୋର ରାଜ୍ୟେ ।

ଦେବଦେବ ମହା- ବେଦ ଜାଣନ୍ତି ଏ

ହୃଦୟ ଗଭୀର ଖେଦ;

ଘଟାଇବ ମୋର ଅରିକୁଳ ଘରେ

ଘୋ ଦୁଃଖ ଭ୍ରାତୃଭେଦ ।

ମୋର ସ୍ୱାଧୀନତା ରାଜ୍ୟଲକ୍ଷ୍ମୀ ହରି

ନେଲେ ଯେ, ଆସିବ ଦିନ,

ତାଙ୍କ ବଂଶଧରେ ଏହିପରି ହେବେ

ଲକ୍ଷ୍ମୀଚ୍ୟୁତ ପରାଧୀନ ।’’

କହନ୍ତି ଶର୍ମିଷ୍ଠା ‘‘ପରାଣ ଜନନି !

ଦିଅ ନାହିଁ ଅଭିଶାପ,

ଶତ୍ରୁ ପଛେ ହେଉ ଅଶୁଭ ପାଞ୍ଚିଲେ

ହୁଅଇ ମହତ ପାପ ।

ଭାଗ୍ୟେଭୋଗ୍ୟା ଏହି ବସୁନ୍ଧରା ଧନୀ

ନୁହନ୍ତି ମାତଃ କାହାରି,

ବୁଦ୍ଧି ବଳେ ଯେହୁ ହେବ ଶ୍ରେଷ୍ଠତର

ଭାଗ୍ୟଲକ୍ଷ୍ମୀ ହେବ ତା’ରି ।

କେତେ ଜାତି ଯିବେ, କେତେ ଜାତି ହେବେ

ଯାଏ ଚାଲି ପୁରାତନ,

ପୁରାତନ ସ୍ଥାନେ ଯୁଗଧର୍ମମତେ

ଆସଇ ମାଡ଼ି ନୂତନ ।

ଚକ୍ରନେମି ଗତି- କ୍ରମେ ଦୁଃଖ ସୁଖ

ଉପରେ ଅଥବା ତଳେ,

ଚିର ପରିବର୍ତ୍ତ ଲାଗିଛି ଜଗତେ,

ଏପରି ସଂସାର ଚଳେ ।

ପ୍ରାଣୀର ପରୀକ୍ଷା କ୍ଷେତ୍ର ଏହି କ୍ଷିତି

ଭଲ ମନ୍ଦ ଏଥି ଜଣା,

ତତ୍ତ୍ବଜ୍ଞାନ ବୁଝି ଚଳିଲେ ମୁକତି,

ମୋହମୁଗ୍ଧ ହୁଏ ବଣା ।

ମୋପାଇଁ ଶୋଚନା ନ କର ଜନନି !

ମୋ ମନ ତୋ ସୁଖେ ସୁଖୀ,

ତୋ ନେତ୍ରେ ଲୋତକ ଦେଖିଲେ ମାଆ ଲୋ !

ମୋ ପରାଣ ହୁଏ ଦୁଃଖୀ ।

ଯାହା ପାଇଁ ଯାହା ଲୋଡ଼ା ହୁଏ ଭବେ

ବିଧାତା କରନ୍ତି ତାହା,

ତୋର ସେ ସାମ୍ରାଜ୍ୟ ମୋର ଏ ବୈରାଗ୍ୟ,

ନ କାନ୍ଦ ମୋ ରାଣ ମାଆ !

ସ୍ୱଜାତି ଜଗତ ସୁଖେ ମୋର ସୁଖ,

ମୋର ନିଜ ସୁଖ ନାହିଁ,

ଲୋଡ଼ା ନାହିଁ ଯାହା କାନ୍ଦୁ କିପାଁ ମିଛେ

ମାତା ମୋର ତାହା ପାଇଁ ।’’

•••

 

ଚତୁର୍ଥ ସର୍ଗ

 

ନିଦାଘ ନିଶୀଥେ ବୃକ୍ଷପର୍ବପୁରୀ

ଧରିଛି ମଉନ ବ୍ରତ,

ନିସ୍ତବ୍‌ଧ ସକଳ ନାହିଁ କୋଳାହଳ

ନିଶା ମାତ୍ର ସୁଜାଗ୍ରତ ।

ଝାଇଁ ଝାଇଁ ଶୁଭେ ନିଶା ଗରଜନ

ଝିଲ୍ଲୀ ରାବେ ଝିଁ ଝିଁ ସ୍ୱରେ,

ଶାନ୍ତିସୁଧାକରେ ସ୍ୱପ୍ନଦେବୀ ଆସି

ବିହରୁଛନ୍ତି ବିଶ୍ୱରେ ।

ଉର୍ଦ୍ଧ୍ୱେ ବିହାୟସେ ତାରକାର ବେଶେ

ସୁରେ କି କରନ୍ତି ମେଳି,

ଦୀପ୍ତିବିଭୂଷିତା ତ୍ରିଦଶଲଳିତା

ଦିବେ ବା କରନ୍ତି କେଳି ?

କୈାମୁଦୀମଣ୍ଡିତ ଗଗନ ଶୋଭୁଛି

ଘେନି ଗ୍ରହ ଋକ୍ଷ ଇନ୍ଦୁ,

ସ୍ୱର୍ଲ୍ଲୋକର କି ସେ ରତନ ପୂରିତ

ସୁନିର୍ମଳ ସୁଧାସିନ୍ଧୁ ?

ଆଭା-ଅର୍ଣ୍ଣବରେ ବାରିଦ-ବହିତ୍ର

ଯାଉଛି ସୁଦୂରେ ଭାସି,

ଆଶାୟି ମାନବ- କଳ୍ପନା ଗରଭେ

ଯେସନେ ବାସନାରାଶି ।

ଚଳ ମେଘ ସଙ୍ଗେ ପର୍ବଶର୍ବରୀଶ

ଖରତରେ ଛନ୍ତି ଧାଇଁ,

ଅଭ୍ରମୁବଲ୍ଲଭ ପୃଷ୍ଠେ ବସି କିବା

ଯାଉଛନ୍ତି ଶଚୀସାଇଁ ?

ଖଣ୍ଡ ଖଣ୍ଡ ମେଘ ସଙ୍ଗେ ତାରାଦଳ

ଗୋଡ଼ାନ୍ତି ପଛେ ଅମ୍ବରେ,

ଦେବଯାନେ ବସି ଅନୁଚରରୂପେ

ଚଳନ୍ତି କିବା ଅମରେ ।

ବିପଣୀ ବୀଥିକା ବସିଛି କି ବ୍ୟୋମେ

ବହଳ ସୁର-ସଂସାରେ;

ବାଷ୍ପୀୟଯାନରେ ଦଉଡ଼ନ୍ତି ଦେବେ

ଏଣେତେଣେ ସଉଦାରେ ?

ମଧ୍ୟେ ମଧ୍ୟେ ନଭେ ରାବଇ ଚକୋର

କରୁଣ ମଧୁର ସ୍ୱନେ,

ଗାଇ ଉଡ଼ିଯାଏ ଦିଗନ୍ତାଭିମୁଖେ

ବିଷାଦ ଢାଳି ଶ୍ରବଣେ ।

କେତେ କେତେ ଯୁଗ- ଯୁଗାନ୍ତର ସ୍ମୃତି-

ସେ ସ୍ୱନେ ପଡ଼ଇ ମନେ,

ଜନ୍ମଜନ୍ମାନ୍ତର- ବିଷାଦ-ବାର୍ତ୍ତା କି

ବିଜଡ଼ିତ ସେ ଗାୟନେ !

ଏମନ୍ତ ନିଶୀଥେ ଶଯ୍ୟାଗତା ସେହି

ବିରହିଣୀ ଶୁକ୍ରସୁତା,

ପ୍ରିୟଗତପ୍ରାଣା ଜୀବନସଂଶୟେ

ବିଚ୍ଛେଦ-ବିଷାଦଯୁତା ।

ତନୁ ଅନୁଦିନ ରମ୍ୟ ତନୁ ତାର

ପ୍ରଣୟିଙ୍କୁ ଝୁରି ଝୁରି

ପାଣ୍ଡୁ ଗଣ୍ଡ, ପଦ୍ମ- ପଳାଶ ଲୋଚନେ

କାରୁଣ୍ୟ ରହିଛି ପୁରି ।

ପ୍ରାଣପ୍ରିୟା ସେହି ସଙ୍ଗିନୀ ଶର୍ମିଷ୍ଠା

ପରିଚର୍ଯ୍ୟା କରେ ପାଶ

ମୃଣାଳେ ବଳୟ ପଙ୍କଜପଲ୍ଲବେ

ତଳପ କରିଣ ନ୍ୟାସ ।

ଶୀତଳ ଶଯ୍ୟାରେ ଶୋଇ ଦେବଯାନୀ

ଛଟପଟ ହୁଏ ତାପେ

ମନସିକ ତାପ ଦହେ ଅନ୍ତଃସ୍ଥଳ

ମିଳନେ ଆରୋଗ୍ୟ ଆପେ ।

କି ହେବ ଉଶୀରେ ଶତଦଳଦଳେ

ସୁରଭି ମଳୟାନିଳେ,

ବାହ୍ୟ ଉପଚାରେ ଅନ୍ତର ସନ୍ତାପ

ହଟଇ କି କେବେ ତି ଳେ ?

•••

 

ପଞ୍ଚମ ସର୍ଗ

 

ନିବିଡ଼ ପ୍ରାବୃଟେ ଘୋର ଘନଘଟା

ଆବରେ ଆକାଶ ଅଙ୍ଗେ;

ଘନ-ଅପଘନେ ସ୍ୱର୍ଣ୍ଣ ସୈାଦାମିନୀ

ବିହରେ ବିବିଧ ରଙ୍ଗେ ।

ହିମାଦ୍ରି ଶୃଙ୍ଗରୁ ଆସନ୍ନ-ଆଷାଢ଼

ଅବତରି ଆସେ ଖରେ,

ଅକସ୍ମାତ ବଢ଼ି ଲଘଂନ୍ତି ପୁଳିନ

ଶାନ୍ତ ନିମ୍ନଗାନିକରେ ।

ତଟ-ଅରଣ୍ୟର ତୀରତରୁଗଣ

କରି ମୂଳୁଁ ଉତ୍ପାଟନ;

ଅସହ୍ୟ ଅନ୍ତରା- ବେଗେ ମତ୍ତ ମନ୍ଦ୍ରେ

ଗରଜନ୍ତି ମେଘଗଣ ।

ନବୀନ ନୀରଦ ଦରଶନେ ଦ୍ବନ୍ଦ-

କଳାପୀ କଳାପକୁଳ

ବିସ୍ତାରି ନାଚନ୍ତି କେକା ତାଳେ ତାଳେ

ଗିରି ବନେ ହୋଇ ଠୁଳ ।

ନିବିଡ଼ ନୀରଦେ ତୋରା ଇରମ୍ମଦ

ବଜ୍ରଧ୍ୱନି-ମହାଗାନେ

କକୁଭ କୁହର ଘୋର କୁହରିତ

ଅତରା ପଡ଼ଇ କାନେ ।

ମଞ୍ଜୁଳ ବଞ୍ଜୁଳ ନିକୁଞ୍ଜେ ରାବନ୍ତି

ବନ ପଶୁ ପକ୍ଷିଗଣ,

ସପ୍ତସ୍ୱର-ତାଳେ ନାଚେ କି ଦିଗ୍‌ବଧୂ

ଝଙ୍କାରିଣ ଗିରି ବନ ?

ନିଦାଘରିପୁକୁ ଘଉଡ଼ାଇ ଘନ

ବିବାହ କରେ କି ରଙ୍ଗେ,

ଲକ୍ଷ୍ମୀଦେବୀଙ୍କର ପ୍ରଭବ ଉଦ୍ଦେଶେ

ଧରଣୀ-ରମଣୀ ସଙ୍ଗେ ?

ବରଷା ଋତୁରେ ବରଷେ ଆସାର

ପୂରଇ ବିଲ ପୋଖରୀ,

ନୀର - ଆସ୍ତରଣେ ବସନ୍ତି କମଳା

ଶ୍ୟାମଳ ମୂରତି ଧରି ।

ନଭେ କାଦମ୍ବିନୀ- କୋଳେ ଇରମ୍ମଦ

ହେବପ୍ରଭା ଜିଣି ଦିଶେ,

ନୀଳତନୁ ବିଷ୍ଣୁ କୋଳରେ ରମନ୍ତି

ବାରିଧିତନୟା କି ସେ ?

ଗିରିଗହନରେ ଝରଇ ନିର୍ଝର

ଝର୍ଝର ଶୁଭଇ ଧ୍ୱନି,

ଗଭୀର ଗହ୍ବରେ ପର୍ବତ କନ୍ଦରେ

ଶୁଭେ ତାର ପ୍ରତିଧ୍ୱନି ।

ଭାନୁମୁଖେ ସପ୍ତ ବର୍ଣ୍ଣୀ ଶକ୍ରଚାପ

ରଞ୍ଜଇ ଦର୍ଶକ ଚକ୍ଷୁ,

ଶତ ଇନ୍ଦ୍ରଧନୁ ଝଲସି ଉଠଇ

ଲୋଳ ନିର୍ଝରର ବକ୍ଷୁଁ ।

ଫେଡ଼ି ଦେବ ବାଳା ଇନ୍ଦ୍ରନୀଳଦ୍ୱାର

ସଂଯୁତ ରତ୍ନ-ତୋରଣ

ଅର୍କ ବାରିଦର ବିଚିତ୍ର ଆହବ

ଦିବୁଁ କରନ୍ତି ଦର୍ଶନ ?

ପୂର୍ଣ୍ଣଯଉବନା କୁସୁମକାମିନୀ

ବାରିବିନ୍ଦୁବିମଣ୍ଡିତ

ଅନ୍ତରାଳେ ବସି ବାବଦୂକ ଝିଙ୍କ

କରେ କର୍ଣ୍ଣ ନିନାଦିତ ।

ଗଜା ବଉଦକୁ ପ୍ରବଳ ପବନ

ଘଉଡ଼ାଇ ଘେନି ଯାଏ,

ଶୀତଳ ଅନିଳ ବହୁଁ ସୁଲୁ ସୁଲୁ

ପୁଣି ଘନ ଘୋଟିଯାଏ ।

ବିସ୍ତୀର୍ଣ୍ଣ ପ୍ରାନ୍ତରେ ସୁଦୁର ବିଦେଶୀ

ଯାଏ ଗାଇ ଗାଇ ଗୀତ,

ସେ ଗୀତ ଶ୍ରବଣେ ଅପୂର୍ବ ମଧୁର

ବିଷାଦ ଘୋଟଇ ଚିତ୍ତ ।

ଏମନ୍ତ କାଳରେ ଯଯାତି ନୃପତି

ରାଜକର୍ମ ସମାପନେ

କରି କପୋଳରେ ଭାର କରନ୍ୟସ୍ତ

ଭାଳୁଛନ୍ତି ସୁନିର୍ଜନେ ।

ଯଯାତି ତ ଆଜି ନୁହନ୍ତି ସେ ନିଜେ

ନିଜତ୍ବ ତ ବିସର୍ଜନ

ଦେଇ କା’ ପୟରେ, କାହାର କୋୟର

ହେଲେ କିପାଁ ସେ ରାଜନ ।

ଛାଡ଼ି ସର୍ବ ଚିନ୍ତା ହୁଡ଼ି ଆତ୍ମଜ୍ଞାନ

ବୁଡ଼ି ସ୍ମୃତି-ସିନ୍ଧୁ-ନୀର

କି ଭାବନା ଭାଳି ଯୁବା ବୀର ଆଜି

ଅଚଳ ଅଟଳ ଧୀରେ ।

କଣିକା ପ୍ରବୃତ୍ତି ନ ମାନି ଶାସନ

ବସିଲାଣି ଗ୍ରାସିବାକୁ

କୋଟି ଦୁର୍ବିନୀତେ ଶାସନ୍ତି ଯେ ନୃପ

ନ ପାରିଲେ ଶାସି ତାକୁ ।

ପ୍ରବୋଧୁଁ ପ୍ରବୋଧୁଁ ପ୍ରବୋଧ ହେଳିଣ

ବିସ୍ତାରିଲା ନିଜ ଟେକ,

ହଟାଇ ହଟାଇ ନ ହଟିଣ ସେ ଯେ

ମୋଡ଼ିଲା ବିବେକ-ବେକ ।

ଲୁତାତନ୍ତୁ ସମ ଥିଲା ଆଦ୍ୟେ ଯାହା

ହେଲା ମେରୁ ମହାକାୟ,

ରେଣୁ ପରିମାଣେ ଥିଲା ଯେ ପହିଲେ

ହେଲା ଗିରି ହିମାଳୟ ।

ଅଙ୍ଗୁଳି ଦେଖାଉଁ ବାହା ସେ ଗିଳିଲା

ମନୋଭବ-ଇଷୁ ଆଜି,

ଦଗା ଦେଇ ଗଳା କାଟିଳା କନ୍ଦର୍ପ

ହିତକାରୀ ମିତ୍ର ସାଜି ।

କି କରିବେ କିଛି ବୁଦ୍ଧି ନ ଦିଶିଲା

ନ ପାଇଲେ ସ୍ଥଳ କୂଳ,

ପ୍ରବୃତ୍ତି ପ୍ରବାହେ ଭାସି ଗଲେ ନୃପ

ଉପୁଡ଼ୁଁ ବିବେକମୂଳ ।

ବଳିଲା ପ୍ରାୟେ ସେ ବାଳାବରବପୁ,

ହେମପଙ୍କଜବରଣା-

ଚମ୍ପକ-ଅଙ୍ଗୁଳି ଝଟ ଝଟ ଗୋରୀ-

ସଉଦାମିନୀବରଣା-

ପୀବର ଉରସୁଁ ଖସି ପଡ଼ିଥିଲା

ତ୍ରସ୍ତେ ବ୍ୟସ୍ତେ ଝିନବାସ,

ହୃଦୟ ଆବେଗେ କମ୍ପୁଥିଲା ବକ୍ଷ

ଖରେ ବହୁଥିଲା ଶ୍ବାସ ।

ପ୍ରଥମ କଟାକ୍ଷେ ପ୍ରବେଶି ପ୍ରଣୟ

ପ୍ରାଣେ ପକାଇଲା ଛାୟା,

ବିରହେ ବାଳାର ରୂପ ଗୁଣ ଧ୍ୟାନେ

ବିସ୍ତାରିଲା ନିଜ କାୟା ।

ତରୁଣୀ ଲଳିତ- ତନୁ ଟପି ନୃପ

ନେତ୍ର ନ ପାରିଲା ଯାଇଁ

ସୁଗୋଲ ନିତମ୍ବ ସଞ୍ଚ ଘଞ୍ଚ ବକ୍ଷ

ପାସୋରି ପାରିଲେ ନାହିଁ ।

ବାଳାବପୁ ବଡ଼- ଶୀରେ ନୃପ-ମନ-

ମୀନ ହୋଇଗଲା ଛନ୍ଦି,

ଯୁବତୀ ଯୈାବନ- ବାଗୁରାରେ ଚିତ୍ତ-

ବିହଙ୍ଗମ ହେଲା ବନ୍ଦୀ ।

ଏହିପରି ବର୍ଷା ଋତୁ ଗଲା ବହି

ବିରହି-ହୃଦୟ ଦହି,

ବିମଳ ଶରତ ମୃଗୟାସହାୟ

ଆସିଲା ମାଡ଼ିଣ ମହୀ ।

ପାରିଧିକି ବିଜେ କଲେ ନୃପରାଣ

ମନ- ଦୁଃଖ ଫେଡ଼ିବାରେ,

କର ନ ଚଳିଲା ଏଣ ଏଣୀ ଅଙ୍ଗେ

ତୀର ଲକ୍ଷ୍ୟ କରିବାରେ ।

ହରିଣୀ-ବିଲୋଳ ଲୋଚନେ ପ୍ରେୟସୀ-

ଚାହାଁଣି ସାଦୃଶ୍ୟ ଚାହିଁ

ଖସି ପଡ଼ିଗଲା କର୍ମୁକରୁ ଶର,

ଉଠାଇ ପାରିଲେ ନାହିଁ ।

ଆକାଶ ଧରଣୀ ହ୍ରଦ ଗିରିବନ

ସ୍ରୋତସ୍ୱିନୀ ଉପବନ

ସର୍ବେ ହୋଇଗଲେ ଦେବଯାନୀମୟ,

ଆନ ନ ଦେଖେ ନୟନ ।

ଘନ-କୃଷ୍ଣ-ଘନେ ପ୍ରେୟସୀ-ଚିକୁର

ଚପଳାରେ ପ୍ରିୟାବର୍ଣ୍ଣ,

ପିକପଞ୍ଚମରେ ଦେବଯାନୀସ୍ୱନ

ଶୁଣଇ ଯଯାତି କର୍ଣ୍ଣ ।

ଶିଖିପୁଚ୍ଛେ ଚାହିଁ ପ୍ରିୟା-ପରିଚ୍ଛଦ

ବିଭା ପଡ଼େ ନୃପ ମନେ,

ପ୍ରେୟସୀ-ନୟନ ପ୍ରଭା ସେ ଦେଖନ୍ତି

ନିବିଡ଼ ନୀଳ ଗଗନେ ।

ବିକଚକମଳେ ପ୍ରେୟସୀ-ବଦନ

ଚମ୍ପକେ ଅଙ୍ଗୁଳିଗଣ

ସ୍ଥୂଳ ପକ୍ବ ତାଳେ ଦେଖନ୍ତି ଯଯାତି

ପ୍ରିୟା ପୀନ ବେନି ସ୍ତନ ।

ନିବିଡ଼ ନୀରଦ ଉଢ଼ୁଣା ଆବୃତ

କ୍ଷଣପ୍ରଭା ତୋରା ବନ

ଦେଖି ନରନାଥ ସ୍ମରନ୍ତି ପ୍ରେୟସୀ

ଘନକେଶାବୃତାନନ ।

ଶାରଦ ଗଗନେ ବିମଳ ଚନ୍ଦ୍ରିକା

ଚାହିଁଣ ବିଷାଦ-ସୁଖେ

କ୍ଷୀଣ ସ୍ୱପ୍ନ ସମ ସ୍ମରନ୍ତି ପ୍ରିୟାର

କଳ୍ପିତ ସହାସ ମୁଖେ ।

ଶାରଦ ଉଷାରେ ପ୍ରିୟାବରବପୁ

ବାରିଜେ ବାରିଜାନନ

ମଧୂର ସଙ୍ଗୀତେ ମଧୁ କଣ୍ଠସ୍ୱନ

ଶୁଣେ ସେ ଯୁବା-ଶ୍ରବଣ ।

ପ୍ରେମିକ ନୟନ ପ୍ରଣୟ-ପ୍ରତିମା

ସର୍ବତ୍ର କରେ ଦର୍ଶନ,

ପୀରତି ଘଟାଏ ସାରା ସଂସାରରେ

ଅପୂର୍ବ ପରିବର୍ତ୍ତନ ।

ସଦା ନୃପମନ ଉଦାସ ଉଦାସ

ବିଷାଦ-ଭାରେ ଆନତ,

ଦେବଯାନୀଗତ ପ୍ରାଣ ହୋଇଥିଲେ

ଏକାନ୍ତ ହସ୍ତିନାନାଥ ।

ବେଳେ ବେଳେ ନୃପ କରନ୍ତି ସଂଶୟ

ଦେବଯାନୀର ପ୍ରଣୟ,

ମନେ ପଡ଼େ ପୁଣି ସତୃଷ୍ଣ ଅପାଙ୍ଗ

ଗଳା ବେଳ ଠାଣିଚୟ ।

ଆଶାୟୀ ସକଳ ମଣେ ଆତ୍ମଗତ

ଖ୍ୟାତ ଏହା ପ୍ରୀତି-ଶାସ୍ତ୍ରେ,

ନିଜ ମନୋଭାବ ଆରୋପେ ପ୍ରଣୟୀ

ମୁଗ୍ଧ ପ୍ରାଣେ ପ୍ରିୟପାତ୍ରେ ।

•••

 

ଷଷ୍ଠ ସର୍ଗ

 

ଦିନେ ନରନାଥ ଗହନ କାନନେ

ମୃଗୟା ଉଦ୍ଦେଶେ ଗଲେ,

ପିପାସା-ଆତୁର ନହୁଷନନ୍ଦନ

ମିଳିଲେ ବିବିକ୍ତ ସ୍ଥଳେ ।

ଲାବଣ୍ୟର ହାଟ ବସିଛି ତହିଁରେ

ଫୁଟେ ଶୋଭାଫୁଲ ମାଳା,

ବନକ୍ରିଡ଼ା ଅବା କରୁଛନ୍ତି ବନେ

ଶମ୍ପାଗୋରୀ ବନବାଳା ।

ଅଳପବୟସୀ ଅଳପକେ ହସି

ଗଳପ କରନ୍ତ ବସି,

ଛନ ଛନ ମନ ନବ ଯଉବନ

ନବରସେ ଛନ୍ତି ରସି ।

ଧନ୍ୟରେ ଯୈାବନ ଧନ୍ୟ ତୋ ଉନ୍ମାଦ

ଧନ୍ୟ ତୋ ମୋହ-ଆବେଶେ,

ଯାହା ଯୋଗୁଁ ବିଶ୍ୱ ବିଭାସଇ ଜନ

ନେତ୍ର ମଧୁମୟ ବେଶେ !

ଲତିକାଗହଳେ ତରୁଶାଖାତଳେ

ବରାରୋହୀ ତିନି ଶ୍ୟାମା

ନିବିଷ୍ଟଭାବରେ ବିଶ୍ରବ୍‌ଧ ଆଳାପେ

ରତ ସେ ନବୀନା ରାମା ।

ଏକ ଅଟେ ଗୁରୁ ଶୁକ୍ରାଚାର୍ଯ୍ୟ ସୁତା

ବେନି ପ୍ରିୟ ସହଚରୀ,

ଇତର ସଖୀଏ ମଦୁପାନରତା

ସୁଦୁର ବନେ ବିଚରି ।

ଦୈତ୍ୟଗୁରୁ ଶୁକ୍ର- ସୁତା ଦେବଯାନୀ

ଧରିଛି ସଜନୀ କର,

ଚାରୁମୁଖ ଦିଶେ ଅଧିକ ସୁନ୍ଦର

ଲଭି ଛାୟା ବିଷାଦର ।

ଅନ୍ତରାଳେ ରହି ବିଶ୍ରମ୍ଭ ଆଳାପ

ଶୁଣିଲେ ହସ୍ତିନାରାଣ,

ଶିରେ ଉଠେ ନୃପ- ହୃଦୟ ଶୋଣିତ

କୋଟିମୁଖ ତାଙ୍କ କାନ ।

ପ୍ରିୟା ସୁଧାବଣୀ ପିଇଯାଆନ୍ତି ସେ

ଢୋକି ସର୍ବ ଇନ୍ଦ୍ରିୟରେ,

ପ୍ରିୟା- ତନୁ-ଶୋଭା ନେତ୍ର ମାତ୍ର ହୋଇ

ଦେଖନ୍ତି ଅପଲକରେ ।

ପୁଛଇ ସଜନୀ ‘‘ସଖି ଦେବଯାନି,

କହ ଏ ରୋଗ ନିଦାନ,

ଅନୁଦିନ ସହି ! ଶୁଖିଯାଉ କିପାଁ

କହା ତୋତେ ମୋହ ରାଣ ।

କହ ସଖି ! ଆଉ ନ ଲୁଚାଅ ମୋତେ

କିପାଁ ତୋ ମଳିନ ମୁଖ,

ଥିଲୁ ଗରବିଣୀ ଚିର ହରଷିତା

ଭୋଗୁ କି ନୀରବ ଦୁଃଖ ?’’

ସଖୀ ମଧୁବାଣୀ ଶୁଣି ଦେବଯାନୀ

କହେ ବ୍ରୀଡ଼ାନତମୁଖେ,

‘‘ଆଉ କେତେ କାଳ ବିଷ ପେଟେ ଭରି

ରଖିଥିବି ସଖି ! ଦୁଃଖେ ?

ନ କହି ତୋ ଆଗେ କା ଆଗେ କହିବି

ତୁ ଦୁଃଖଭାଗିନୀ ମୋର,

ପରାଣବେଦନା ଊଣା ହେବ ହେଲେ

କହିଲାରୁ ଆଗେ ତୋର ।

ଯେଉଁ ଦିନୁ ସହି ! ଅଜ୍ଞାତ ପଥିକ

ଛୁଇଁଲେ ଏ ମୋର ତନୁ,

ମନ୍ତ୍ର ଇନ୍ଦ୍ରଜାଲ କୁହୁକେ ଯେସନ

ସୁଖ ଚାଲିଗଲା ମନୁ ।

ଅଧିକ ଦିନ ମୁଁ ବଞ୍ଚିବି ନାହିଁ ଲୋ

ଖରବେଗେ ମୃତ୍ୟୁପଥେ

ଯାଉଛି ଏ ପ୍ରାଣ ସଖି ! ଅନୁଦିନ

ବିରହ-ନୀରବ-ରଥେ ।

ବନ ପୋଡ଼ିଗଲେ ଜାଣନ୍ତି ସକଳେ,

ନୀରବରେ ପୋଡ଼େ ମନ,

ମନ ପୋଡ଼ିଗଲେ ସଙ୍ଗେ ସଙ୍ଗେ ହୁଏ

ଦଗଧ ବିଶ୍ୱଭୁବନ ।

ମନ ସିନା ସର୍ବ ସୁଖର ନିଦାନ

ମନଟି ଦୁଃଖ କାରଣ,

ମନେ ଯେବେ ନାହିଁ ସୁଖ ଏ ସଂସାରେ

ସବୁ ହୁଏ ଅକାରଣ ।

ନାହିଁ ଯାହା ପିଣ୍ଡେ ନାହିଁ ତା ବ୍ରହ୍ମାଣ୍ଡେ

ସୃଷ୍ଟି ମନ-ଅନୁଯାୟୀ

ସାରା ସୃଷ୍ଟି ଶୂନ୍ୟ ଶୁଷ୍କ ମରୁସରି

ମନେ ଯେବେ ସୁଖ ନାହିଁ ।

ପ୍ରାଣ ପ୍ରିୟତମ ପାଶେ ଯେ ସୁଧାଂଶୁ

ଅମୃତ ଚନ୍ଦ୍ରିକା ଢାଳେ,

ସେ କୈାମୁଦୀ ପୁଣି ହୁଏ ହଳାହଳ

ପ୍ରଣୟ-ବିରହ-କାଳେ ।

ସୁଖେ ଯାହା ଯୋଗେ ସୁଖ ବଢ଼େ, ଦୁଃଖେ

ଦୁଃଖ ବଢ଼େ ତାହାପାଇଁ,

ଗରଳୁଁ ଅମୃତ ହଳାହଳୁଁ ସୁଧା

ମିଳେ-ଭାଗ୍ୟ-ଅନୁଯାୟୀ ।

ନାହାନ୍ତି ଜନନୀ ମନ-କଥା ଜାଣି

ଜନକଙ୍କୁ ଯେ ବୁଝାନ୍ତେ,

ଅଭାଗୀ ମୁଁ ସଖି ! ଅତି ନିରିମାଖୀ

ଗଲେ ମାତା ମୋ ଜନ୍ମାନ୍ତେ ।

କିପରି କହିବୁ ପିତାଙ୍କୁ ଲୋ ମୋର

ଚିରଭକ୍ତ ତାଙ୍କ ସୁତା

ଅଜ୍ଞାତ ପୁରୁଷେ ପରାଣ ଅରପି

ହେଲା ତାଙ୍କ ଅଙ୍କଚ୍ୟୁତା ।

ପାଇବ ଯେବେ ସେ ପ୍ରିୟ ଦରଶନ

ପାଦେ ପ୍ରାଣ ସମର୍ପିବ,

ନୋହିଲେ ଆଜହୁଁ ସଂସାର ବରଜି

ମୁନିବ୍ରତ ଆଚରିବ ।

ଅବା ଏ ଜୀବନ ତରୁ କାଳସ୍ରୋତେ

ଖସି ପଡ଼ି ଯିବ ବୁଡ଼ି,

ପ୍ରାଣବିହଙ୍ଗମ ନିମଜ୍ଜିତ ନୀଡ଼

ତେଜି ଯିବ ଶୂନ୍ୟେ ଉଡ଼ି ।’’

ବିରହଣୀ ବାଣୀ ଶୁଣି ନୃପମଣିଙ୍କ

ଦୁଲୁ ଦୁଲୁ ପଡ଼େ ଛାତି;

ସଂଶୟଦୋଳାରେ ଦୋଳାୟିତ ଖବେ

ଆଶାୟୀ ଯୁବା ଯଯାତି ।

ପୁଚ୍ଛିଲେ ମନକୁ କେଉଁ ଭାଗ୍ୟବନ୍ତ

ରାମାହୃଦସିଂହାସନେ

ଅଭିଷିକ୍ତ ? ନିଜେ ନିଜକୁ ବସାନ୍ତି,

ଓହ୍ଲାନ୍ତି ସନ୍ଦିଗ୍‌ଧ ମନେ ।

କହଇ ଚପଳା ବିଧବା ମନ୍ତ୍ରିକା

ପରିହାସମୟୀ ବାଳା,

ହସି ହସି ଯେହୁ ଶୁଣି ସଖୀବାଣୀ

ଗୁନ୍ଥୁଥିଲା ବନମାଳା ।

ପ୍ରିୟତମା ସଖୀ- ବିଷମ ସଙ୍କଟ

ଦେଖିଣ ଚିନ୍ତିତମନା

ପ୍ରେମେ ତା ନିବୃତ୍ତ ଆଶେ କଲା ବ୍ୟାଜେ

ପ୍ରେମେ ସଂଶୟ ସୂଚନା ।

କହିବା କେମନ୍ତେ ଏଡ଼େବଡ଼ ମିଥ୍ୟା

ଗୁରୁଙ୍କ ଆଗରେ ଯାଇଁ,

ଏ ସଂସାରେ କେହି ଆଜିଯାଏ ସହି !

ବିରହେ ତ ମରି ନାହିଁ ।

କେତେ ନରନାରୀ ମରୁଛନ୍ତି ଭବେ,

ଦେଖୁଅଛି ମୁହିଁ ନିତି,

ରୋଗ, ଜରା, ଜନ୍ତୁ- ଦଂଶନ, ଦୁର୍ଯୋଗ;

ତା ହେତୁ, ନୁହଇ ପ୍ରୀତି ।

କେବେ ଶୁଣି ନାହିଁ ବିରହେ ପ୍ରଣୟି-

ପ୍ରଣୟନୀ-ତନୁତ୍ୟାଗ,

ଅନୁରାଗେ ସତୀ ନ ମରନ୍ତି କେବେ,

ଦଗ୍‌ଧ ନୋହୁଁ ଦେହ ଆଗ ।

ରତି ଦମୟନ୍ତୀ ପାର୍ବତୀ ସାବିତ୍ରିୀ

ଦୁଃଖେ ମଲେ କେତେଜଣ,

ପ୍ରେମ ଉନ୍ମତ୍ତତା ଯୈାବନର ଗୁଣ

ରକ୍ତ-ଅସଂଯତପଣ ।

କାମ ପ୍ରେମ ଦୁହେଁ ପ୍ରୀତି –ଛନ୍ଦାଛନ୍ଦି

ଅନୁରାଗ ହୁଏ ଅଙ୍ଗେ,

ଦେଖୁଁ ଦେଖୁଁ ସଙ୍ଗ- ଲାଳସା ଜନ୍ମଇ

ପ୍ରଣୟିର ଅଙ୍ଗ ସଙ୍ଗେ ।

ଦର୍ଶନେ ପୀରତି ବିଚ୍ଛେଦେ ବିସ୍ମୃତି

ପ୍ରୀତି-ରହସ୍ୟ ମୁଁ ଜାଣେ,

ତେଣୁ କାହା ମୁଖ ଦେଖି ହେଲେ ସୁଖ

ସ୍ଥାନ ନ ଦିଏଁ ତା ପ୍ରାଣେ ।

ଅଙ୍ଗରାଗ ସୁଖ ଅଢ଼େଇଦିନର,

ବଡ଼ଇ ଅଳପକାଳେ,

ସମ୍ଭୋଗେ ବିତୃଷ୍ଣା ଜନ୍ମେ କାଳକ୍ରମେ

ମୋହ ତୁଟିଯାଏ ଢାଳେ ।

ଦେଖିଅଛି ମୁହିଁ କଚ ବିରହରେ

ହୋଇଥିଲୁ ସହି ! ବାଇ,

ସଙ୍କଳ୍ପ କଲୁ ତୁ ପ୍ରାଣ ବିସର୍ଜନ,

ଚିର ବରଧବ୍ୟ ପାଇଁ ।

ଗଲା କଥା ସହି ! ଗଲାଣି ଉଭାଇ,

ଜଗତର ଏ ବେଭାର,

ସର୍ବେ ସ୍ୱାର୍ଥବଶ ବାସନାର ଦାସ

ନୁହନ୍ତି କେହି କାହାର ।

ଶଙ୍କର ବିବାହେ ଦ୍ୱିତୀୟ ବିବାହ

ମଣି କାଞ୍ଚନରେ ମିଶି,

ତୋର ଶୁଭ୍ରଯଶ ଯୁଗ ଯୁଗାନ୍ତର

ଚହଟିବ ଦିଶି ଦିଶି !

ଚାଲିଯାଏ ଯାହା ନ ପଚାରେ କେହି

ଏ ଜଗତ ବିନଶ୍ୱର,

ଅବ୍ୟର୍ଥ ଔଷଧ ବିସ୍ମୃତି ସଖି ଲୋ !

ଭବେ ସର୍ବ ବିଷାଦର ।

ଯଯାତି ନୃପତି ଶତଦାରା-ପତି,

ନୃପତିଙ୍କ ପ୍ରୀତି କାହିଁ ?

ଶିଶିରେ ସନ୍ତରୁ ବୃଥା କିପାଁ ସଖି !

ସପତ୍ନୀ ହେବାକୁ ବାଇ ?

ନ କାନ୍ଦ ନ କାନ୍ଦ ପ୍ରିୟ ସଜନି ଲୋ

ଛଦ୍ମବେଶେ ମୁହିଁ ଯିବି,

ଯଯାତି ନୃପତି ଚରଣ ଟାଣିଣ

ତୋହ ଦୁଃଖ ନିବେଦିବି ।

କହିବି ‘‘କୁଣ୍ଡାଇ ସଖୀ ନଗ୍ନି ତନୁ

କୂପୁଁ ଉଠାଇ ରାଜନ !

କରିଣ ଗାନ୍ଧର୍ବ ବିଧାନେ ବିବାହ

କଲ କିପାଁ ବରଜନ ?

ଘେନି ଆସ ତାକୁ ନୋହିଲେ ମୁଁ ଆଜି

ହସ୍ତିନିୀ-ଅଧିକରଣେ

ଆବେଦନ କରି ଦିଆଇବି ଦଣ୍ଡ

ମହାଧର୍ମ ସିଂହାସନ ।

ନ ଶୁଣିଲେ ମୋର ଗୁହାରି ରାଜନ

ଦେଶେ ଦେଶେ ମୁଁ ବୁଲିବି,

ନାରୀହନ୍ତା ବୋଲି ଅକୀର୍ତ୍ତିନାଗରା

ବଜାଇବି ଡିବି ଡିବି ।’’

କହନ୍ତି ସଜନୀ, ‘‘ସଖି ଦେବଯାନି !

ବିଷମ ସମସ୍ୟା ହେଲା,

ଅନ୍ଧ ପରି ମନ୍ଦ କନ୍ଦର୍ପ ଚଣ୍ଡାଳ

ଅମୃତେ ଗରଳ ଦେଲା ।

କିପରି ସହି ଲୋ ! ବିକିଲୁ ପରାଣ

ଏତେ ଚାଣ୍ଡେ ଏ ପ୍ରକାରେ,

ଏଡ଼େ ପଥରକୁ ଛାତି ପତାଇବା

ଦେଖା ନାହିଁ ଏ ସଂସାରେ ।

ଯଯାତି କ୍ଷତ୍ରିୟ ତୁ ବ୍ରାହ୍ମଣକନ୍ୟା

ବିଷମ ସମସ୍ୟା ହେଲା,

ବିଷମ କ୍ଷେତ୍ରରେ ବିଷମବିଶିଖ

ଫୁଲଶର ପେଷି ହେଲା ।

ଅକାତ ଜଳକୁ ଗୋଡ଼ ବଢ଼ାଇଲୁ

ବୁଡ଼ି ଯିବୁ ନ ଉଠିବୁ ?

ଚାରିବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣକୁଳରେ

କଳଙ୍କ କାଳି ଲେପିବୁ ?

ତୋର ପିତା ଗୁରୁ ଶୁକ୍ରାଚାର୍ଯ୍ୟ, ଦେବ

ଦାନବେ ଯା ଅନୁଚର,

ଛତ୍ରପତି ଦାନବେଶ ବୃଷପର୍ବା

ଅଟନ୍ତି ଶିଷ୍ୟ ତାଙ୍କର ।

ଦୂତମୁଖୁଁ ଶୁଣା ଅଛି ନରେଶ୍ୱର

ଚିହ୍ନା ନ ଦେଇ ଯେ ଧୀର

କୂପୁଁ ଉଦ୍ଧାରିଲେ ତୋତେ ସେ ଯଯାତି

ହସ୍ତିନାଧିପତି ବୀର ।

ବ୍ରାହ୍ମଣତନୟା ନ ଜାଣି ନ ଶୁଣି

କ୍ଷତ୍ରିୟ ପୁରୁଷେ ଆହା

ବିକିଲୁ ପରାଣ- ପସରା ସଜନି !

ଧର୍ମଭୀରୁ ନରନାହା ।

ଗୁରୁ ଶୁକ୍ରାଚାର୍ଯ୍ୟ ଶାସ୍ତ୍ରଶେଷଦର୍ଶୀ

ଶଙ୍କର ବିବାହମତେ

ଏଡ଼ି କୁଳାଚାର ନିକୃଷ୍ଟ ବିବାହ

ଦେବେ ତୋତେ ସେ କେମନ୍ତେ ।’’

ସଖୀ ବାଣୀ ଶୁଣି କ୍ଷୁଣ୍ଣା ଦେବଯାନୀ

କହେ ବିଷଣ୍ଣ ବଦନେ,

‘‘କ୍ଷତେ କ୍ଷାର ଦେଇ କିପାଁ ପ୍ରାଣସହି !

ଦହୁ ଏ ଦଗଧମନେ !

ମନାଇଲି ଯେତେ ଅବୋଧ ମନକୁ

ମନା ତ ମାନିଲା ନାହିଁ

କହ ସହି ! କେଉଁ ରାଜ୍ୟେ ପଳାଇବି

ପ୍ରୀତି ଦାଉ ନାହିଁ କାହିଁ ?

ଗଲା ଜାତି ମାନ ଗୁରୁ ଗଉରବ

ପ୍ରୀତି କଲା ଏତେ ସରି,

ଏଡ଼େ ବଡ଼ କୁଳେ କଳଙ୍କ ଲେପିଲି

ନ ଗଲି କିପାଁ ମୁଁ ମରି !

ସମ ଜାତି କୁଳେ ସମ ଅବସ୍ଥାରେ

ପ୍ରୀତି ସିନା ସୁଶୋଭନ,

ମୋର ପ୍ରୀତି ସମ ହଟହଟା କଥା

ନ ଥିବ ଏ ତ୍ରିଭୁବନ ।

କେଉଁ ଦୋଷେ ମୋତେ ନିଦାରୁଣ ବିଧି

ଠେଲିଲେ ପାପଜମ୍ବାଳେ,

ବିରହେ ବିଦଗ୍‌ଧ ହେଉଛି ହୃଦୟ

ମେଣ୍ଟିବ କି ତୃଷା କାଳେ ?

ମୁହୂର୍ତ୍ତକ ମଣେ କୋଟି ଯୁଗ ସରି

କି କରିବି ଯିବି କାହିଁ,

ରଖିବି କି ଏହି ପରାଣ ତେଜିବି,

କଛି ବୁଦ୍ଧି ଦିଶୁନାହିଁ ।

କହ ପ୍ରାଣସଖି ! ସେ ସ୍ୱର୍ଗଲୋକରେ

ପ୍ରୀତି-ଦାଉ ଅଛି କି ନା,

ପ୍ରାଣେଶ-ବିଚ୍ଛେଦେ ତ୍ରିଦିବ ବିଭବ

ଅଶାନ୍ତି-ନରକ ସିନା ।

ପୂର୍ବଜନ୍ମକର୍ମ- ଫଳେ କି ପଡ଼ିଲି

ଘୋର ପାପ-ସିନ୍ଧୁ ଜଳେ,

ଉଠିବାକୁ ମୋର ମନ ବଳୁ ନାହିଁ

ବୁଡ଼ିଯାଉଛି ଅତଳେ !

ପାପ ବୋଲି ଯାହା କହେ ଜାତିମାନ

ଲାଗେ ମୋତେ ପୁଣ୍ୟଫଳ,

ତେଜି ପ୍ରେୟ ସଖି ! ଆଶ୍ରିବାକୁ ଶ୍ରେୟ

ପରାଣେ ମୋ ନାହିଁ ବଳ ।

ମରିବାକୁ ମୋର ପ୍ରିୟ ସଜନି ଲୋ !

କେଭେଁ ସତ ବଳୁନାହିଁ,

ମରେ ଆଶା ହୀନ ମରିବ ସେ କିପାଁ

ପ୍ରେମେ ଯେ ହୋଇଛି ବାଇ ।

ଚଉଦ ଭୁବନ ପୂର୍ଣ୍ଣ କରେ ପ୍ରେମ

କିଛି ଶୂନ୍ୟ ନ ଦିଶଇ,

ପ୍ରେମିକ ପ୍ରେମିକା ପରସ୍ପରେ ଭୁଲି

ନ ପାରନ୍ତି କାହିଁ ରହି ।

ପ୍ରୀତି ନ ମାନଇ ଜାତି ସଜନି ଲୋ !

ପ୍ରୀତି ନ ଲୋଡ଼ଇ ପଦ,

ଦେଶ କାଳ ପାତ୍ର- ବିଚାର ନ ରହେ

ପିଇଦେଲେ ପ୍ରୀତିମଦ ।

ପ୍ରଣୟି-ନୟନେ ସଂସାର-ପଦ୍ଧତି

ଦିଶଇ ତୃଣ ସମାନ,

ଉଭାନ ହୁଅଇ ଧର୍ମ ଅର୍ଥ ମୋକ୍ଷ

ଅପମାନ ଅଭିମାନ ।

ପ୍ରେମିକ ନୟନ ପରାମ ପ୍ରତିମା

ସର୍ବତ୍ର କରେ ଦର୍ଶନ,

ପ୍ରେମେ ଘଟିଯାଏ ସାରା ସଂସାରରେ

ବିଷମ ପରିବର୍ତ୍ତନ ।

ଦେଖିଲି ସେ ଯେଉଁ ମଧୁର-ମୂରତି

ଛୁଇଁଲି ସେ ଯେଉଁ ତନୁ,

ଏ ପିଣ୍ଡେ ପରାଣ ଥିବାଯାଏ ସହି !

ପାସୋର ନ ଯିବ ମନୁ ।

ଦେଖିଛି ନିଶୀଥେ ଚନ୍ଦ୍ରମା ମୂରତି,

ଦେଖିଛି ମଧ୍ୟାହ୍ନେ ରବି,

ମଧୁରିମା ତେଜେ ବଳିଛି ସେ କିଏ

ଇନ୍ଦୁ-ଅର୍କ ଯୁଗ୍ମ ଛବି ।

ଛାର ଜାତି ମାନ ରୂପ ଯଉବନ

ଛାର ଏ ଦଗ୍‌ଧ ଜୀବନ,

ଏ ଯୈାବନ ଦାନେ ପାଆନ୍ତି ସଖି ମୁଁ

ଯେବେ ସେ ଅମୂଲ୍ୟ ଧନ ।

ସତେ କି ଲଲାଟେ ଲିହିଅଛି ବିହି

ସେ ସ୍ୱର୍ଗୀୟ ସୁଧାଧାର,

ଫାଟିଯିବ ବକ୍ଷ ବରବସୁ ଭୋର

ହେଲେ ଲୋ ଆଉ କାହାର ।

ପୀରତି ଲକ୍ଷଣ ବାଞ୍ଛଇ ପ୍ରଣୟୀ

ପ୍ରିୟତମେ ଷୋଳଅଣା,

ଆନଠାରେ ଲେଶ ହେଲେ ଅନୁରାଗ

ଲାଗେ ପୃଥ୍ବୀ ବଣା ବଣା ।

ସମ୍ପୁଥିଲି ମୁହିଁ ସଖୀ ଶର୍ମିଷ୍ଠାକୁ

କୁପଗତ କଲା ଯେଣୁ,

ସେହି ସ୍ପର୍ଶ ସୁଖ ଯୋଗ ମୋତେ ସହି

ଘଟାଇଲା ସିନା ତେଣୁ ।

ଦୁଃଖ ପାଇ ସିନା ଦରଶନ ସୁଖେ

ଜୀବନ ସଫଳ ହେଲା,

ତପେ ବର ପାନ୍ତି ମୁନି, ମୋତେ ବିଧି

କୋପେ ବର ବର ଦେଲା ।

ଶାଳପ୍ରାଂଶୁ ସେ ଯେ ଗମ୍ଭୀର ମୂରତି

ମହୀଧର ସମ ଧୀର,

ଅସୀମ ସାହସେ ଉଦ୍ଧାରିଲେ ମୋତେ

ଡ଼େଇଁ କୂପ ସୁଗଭୀର ।

ସେ ଅଟଳ ଦ୍ରୁମେ ଆଉଜି ପଡ଼ିଛି

ଯେବେ ମୋ ପ୍ରାଣ-ବଲ୍ଲରୀ,

ଆସୁ ପଛେ କୋଟି ପ୍ରଳୟ ପବନ

ସେ ଆଶ୍ରୟ ଥିବି ଧରି ।

ପୂଜୁଥିବି ସଦା ସେ ଦେବତା ଯେବେ

ପାଇଛି ପ୍ରସାଦ ତାର,

ନିଭିଯାଉ ପଛେ ପରାଣ-ପ୍ରଦୀପ

ସରି ତଇଳ ଆଶାର ।

ମନ- ଅନୁରୁପେ ଲତିକା-ଯୁବତୀ

ତରୁବର ଲୋଡ଼ି ନିଏ,

ଯଉଧନ ଧନ ଅରପି ତା ପଦେ

ଅନ୍ତେ ସ୍ୱଜୀବନ ଦିଏ ।

ବସନ୍ତେ ଗାବନ୍ତି ବିହଙ୍ଗମ ପୁଂସେ

ଘନ ଉଚ୍ଚ ମଧୁ ତାନେ,

ନିଜ ଇଚ୍ଛାମତେ ବାଛିଣ ବରନ୍ତି

ବିହଙ୍ଗକାମିନୀମାନେ ।

ମାନବୀ ହୋଇଣ କିପାଇଁ ସଖି ମୁଁ

ସେ ଦିବ୍ୟ ଅଧିକାରରୁ

ନିର୍ଦ୍ଧୋଷେ ବଞ୍ଚିତ ହୋଇ ପରାଣକୁ

କରିବି ଭୀଷଣ ମରୁ ।

ଯାଉ ପଛେ କୁଳ ଯାଉ ଜାତି ମାନ

ଦେଇଛି ଜଣକୁ ପ୍ରୀତି,

କୁଳଟା ସମାନ ନ ଭଜିବି ଆନେ

ନୁହେ ତା ସତୀର ରୀତି ।

କୁମୁଦିନୀ ଧନୀ ଇନ୍ଦୁ –ଅସ୍ତଗତେ

ହୋଇଯାଏ ନିମୀଳିତ,

ବିଧୁ ଦରଶନେ ଫୁଲ ବିସ୍ଫାରିତ

ନେତ୍ର କରେ ଉନ୍ମୀଳିତ ।

ସରୋଜିନୀ ସତୀ ଭାନୁ ବିରହରେ

ହୁଏ ସଦା ବିଷାଦିତା ।

ରବି- ଆଗମନେ ପୁଣି କମଳିନୀ

ହୁଏ ପୂର୍ଣ୍ଣ ହରଷିତା ।

ଗିରି ଅଙ୍କ ତେଜି ଯାଏ ତରଙ୍ଗିଣୀ

ଦୂର ଉଦଧି ଆଶାରେ,

ଯାଉ ବହି ଏ ମୋ ପ୍ରାଣସ୍ରୋତସ୍ୱିନୀ

ସେ ଅଜ୍ଞାତ ଭରସାରେ ।

ହୃଦୟ ଆବେଗ ନ ପାରିବି ରୋଧି

ନ ବାର ନ ବାର ସହି !

ମଧୁରମୂରତି ବିଦେଶୀ ପଥିକ

କେଉଁଠାରେ ଛନ୍ତି ରହି ।

ନିଷ୍ଠୁର ଯଯାତି ! ତୁମ୍ଭରି ଲାଗି ହେ

ସହେଁ ମୁଁ ଏତେ ଯାତନା,

ହେ ସ୍ୱାମୀ ହେ ପ୍ରଭୁ ଆହେ ଜୀବିତେଶ !

ତୁମ୍ଭଙ୍କୁ ଅଛି କି ଜଣା ?

ଦେଖା ହେଲେ ଆହା ଛାତି କାଟି ନାଥ

ମୋ ଦୁଃଖ ଦେଖାନ୍ତି ଥରେ,

ଶରଣପଞ୍ଜର ଦେଖନ୍ତ ଦାସୀର

ଏ ଦୁଃଖ କରୁଣାଭରେ ।

ମୋ ଦୁଃଖରେ ତୁମ୍ଭ ଦୁଃଖ ଦେଖି ପ୍ରାଣ

ହୁଅନ୍ତା ମୋର କି ସୁଖୀ

ନିଶ୍ଚିନ୍ତ ଚିତ୍ତେ ଯେ ଭୁଞ୍ଜେ ରାଜ୍ୟସୁଖ

ମୁଁ ସିନା ତାପାଇଁ ଦୁଃଖୀ !’’

ଏ ସମୟେ ଏକ ଭୀଷଣ ଶାର୍ଦ୍ଦୁଳ

ବିକଟ ଦନ୍ତ ଦେଖାଇ

ଭୀଷଣ ଗର୍ଜନେ ସେହି ବନପଥେ

ଭୀମବେଗେ ଗଲା ଧାଇଁ ।

କଟାକ୍ଷେ ନୃପତି ତୀକ୍ଷ୍‌ଣଶର ପେଷି

କଲେ ଦା ଜୀବନ ନାଶ,

ଅଭୟ ପ୍ରଦାନେ ବାମାଗଣେ ବୀର

ମିଳିଲେ ଆସିଣ ପାଶ ।

କରପତ୍ର ଯୋଡ଼ି କହିଲେ ସଖୀଏ,

‘‘ଭୋ ଦେବ ! ରଖିଲ ପ୍ରାଣ,

ଆଜିଠାରୁ ଏହି ଜୀବନ ଆମ୍ଭର

ତୁମ୍ଭରି କ୍ଷତ୍ରିୟରାଣ ।’’

ଅଘଟନ ସଂଘଟନ ପରି ବାଳା

ଦେଖିଣ ନୃପତିବରେ

କହିଥିଲା କଥା ଭାଳି ମ୍ରିୟମାଣ

ହେଲା ବିଷମ ଲାଜରେ ।

ଉଠି ନ ପାରିଲା ତଳୁ ନିତମ୍ବନୀ

ଭାଳିଲା, ‘‘ମା ବସୁମତି !

ଫାଟିଗଲେ ଦୁଇ ଫାଳ ହୋଇ ତୁହି

ତୋ ମଧ୍ୟେ ମୁହିଁ ପଶନ୍ତି ।’’

ଭାଳଇ ଭାବିନୀ, ‘‘ସ୍ଥିର ହୋ ରେ ମନ !

କିପାଁ ଛାତି ଦମ ଦମ,

କିପାଁ ପ୍ରାଣ ତୁ ରେ ଲଜ୍ଜିତ ବିଭୀତ

ଏହି ତ ପ୍ରାଣେଶ ମମ ।

ମୋ ନେତ୍ର-ପ୍ରତିମା ନେତ୍ର ଆଗେ ଉଭା

ଦେଖେଁ ନେତ୍ର ଫେଡ଼ି ଥରେ,

ଝୁରି ଝୁରି ଯାଙ୍କୁ ଝରଇ ଲୋତକ

ଉଭା ସେ ମୋର ଆଗରେ !

ଧନ୍ୟ ହେ ପ୍ରାଣେଶ ବାଞ୍ଛା କଳ୍ପତରୁ ।

ଦେଲ ଆସି ଦରଶନ

ଦାସୀ ଦଗ୍‌ଧ ପ୍ରାଣ ଦାରୁଣ ଯାତନା

ଜାଣି କି ପ୍ରିୟଦର୍ଶନ ?’’

ଅନାୟତ୍ତେ ବାଳା ନୃପ ପଦ୍ମାନନ

ଥରେ ଥରେ ଦିଏ ଚାହିଁ,

ଚାରି ଚକ୍ଷୁ ମେଳ ହେଉଥିଲେ ଖରେ

ନେତ୍ର ନିଏ ନେଉଟାଇ ।

ବିପଦୁଁ ଉଦ୍ଧାରି କୁଶଳ ପଚାରି

କହିଲେ ନୃପତିମଣି,

‘‘ସଖୀଙ୍କୁ ଘେନିଣ ବାହୁଡ଼ ସ୍ୱପୁରେ

ଅସ୍ତୋନ୍ମୁଖ ଦିନମଣି ।

ଗୁରୁ ଶୁକ୍ରାଚାର୍ଯ୍ୟେ କହିବ, ଯଯାତି

ହସ୍ତିନାର ଅଧୀଶ୍ୱର

ସଭକ୍ତି ପ୍ରଣାମ ଅଛନ୍ତି ନିବେଦି

ହେ ଗୁରୋ ! ତୁମ୍ଭ ପୟତ ।’’

ନୃପତି ମେଲାଣି ବେଳ ହେବା ଜାଣି

ବାଳାମନ ଗଲା ମରି,

ସତୃଷ୍ଣେ ଚାହିଁଣ ହେଲେ ଅନ୍ତର୍ହିତ

କଟାକ୍ଷେ ନୃପକେଶରୀ ।

ଯାଆନ୍ତେ ନରେଶ, ମନ ହେଲା କୋଟି

ନେତ୍ର ପାଇଥାଆନ୍ତା କି,

ପ୍ରଣୟି-ଆନନେ କୋଟି କୋଟି ଯୁଗ

ବସି ରହିଥାନ୍ତା ଟାକି ।

ପ୍ରଣୟିନୀ ରୀତି କାନ୍ଦେ ନ ଦେଖିଲେ

ଦେଖିଲେ ନ କହେ କଥା,

କୋଟିନିଧି ଯାକୁ ମଣୁଥାଏ ପ୍ରାଣେ

ତା ପାଶେ ନ ଟେକେ ମଥା ।

ଜଳ ଜଳ କରି ଚାହିଁବା ନୁହଇ

ପ୍ରୀତି-ରୀତି, ତହିଁ ବ୍ୟାଜ,

ଚୋର ଚାହାଁଣିରେ ଅପାଙ୍ଗ ଢାଳିବା,

ଚାହିଁଲେ ପ୍ରଣୟୀ ଲାଜ ।

ପ୍ରଣୟି-ପବିତ୍ର ବନସ୍ଥଳୀ ତାକୁ

ଲାଗିଲା ତୀର୍ଥ ସମାନ,

ସେ ପୂଣ୍ୟ ପରଶେ ରତ୍ନରେଣୁ ସମ

ମଣିଲା ବାଳା ସେ ସ୍ଥାନ ।

ଭାଳିଲା ଏ ପ୍ରାଣ ଦୁଇଥର କିଣି

ଅଯତ୍ନେ ତେଜି ନୃମଣି,

କଷନ୍ତି କି ମୋର ପ୍ରଣୟ ପ୍ରାଣେଶ,

ଦାରୁଣ ନୃପ କରଣି !

ଉଠିଣ ପ୍ରଣମି ପରାଣ ଭକତି

ଜଣାଇ ପାରିଲି ନାହିଁ,

କି ଅବା ଧୃଷ୍ଟତା ଦେଖି କୋପ କଲେ

ବୀରମଣି ନରସାଇଁ ।

ଅଙ୍କଲକ୍ଷ୍ମୀରୂପେ ନେବା ସିନା ତାଙ୍କ

ଇଚ୍ଛା ଅନିଚ୍ଛାର କଥା,

ଶ୍ରୀଚରଣ ଧ୍ୟାନ ପ୍ରାଣ ସମର୍ପଣ

ତାହା ତ ମୋ ହାତ କଥା ।

ଯେଉଁମାନେ ନୃପ ହୋଇଥିଲେ ଠିଆ

ସେ ସ୍ଥାନେ ଲୀଳା-କମଳ,

ପକାଇ ସାଉଁଟି ଆଣି ପୁଣି ରେଣୁ

ବୋଳିଲା ଗଣ୍ଡମଣ୍ଡଳ ।

ଧନ୍ୟରେ ପ୍ରଣୟ ଧନ୍ୟ ତୋ କରଣି

ଧନ୍ୟ ତୋ ବାଜୀକରଣେ,

କି ମୋହ ଅଞ୍ଜନ ବୋଳିଦେଉ ଆଣି

ଯୁବା-ଯୁବତୀ-ନୟନେ !

ଯା ଯୋଗୁଁ ସେମାନେ ଦେଖନ୍ତି ଏ ବିଶ୍ୱ

ସୁଧାମୟ ମୋହାବେଶେ,

ସଂଶୟ ବିଚ୍ଛେଦ - ମୁକ୍ତ ହୋଇ ରହୁ

ପ୍ରଣୟ ! ତୁ କେଉଁ ଦେଶେ ?

•••

 

ସପ୍ତମ ସର୍ଗ

 

ବାଳା-କୁଳଶୀଳ ନ କଳି ନୃପତି

ହୋଇଥିଲେ ମୁଗ୍‌ଧଚିତ୍ତ,

ଜାଣିଲେ ଯହୁଁ ସେ ଶୁକ୍ରାଚାର୍ଯ୍ୟ-କନ୍ୟା

ହେଲେ ପୁଣି ଧର୍ମଭୀତ ।

ପ୍ରୀତିମଧୁ ସ୍ୱପ୍ନେ ମଗ୍ନ ଥିଲେ ମନ

ବିସୋରନ୍ତି ସବୁ ନୃପ,

ଭାଙ୍ଗନ୍ତେ ପ୍ରଣୟ ସ୍ୱପନ ଦେଖନ୍ତି

ବାସ୍ତବ ଘଟନାରୂପ ।

ଦମିଯାଏ ଚିତ୍ତ ଘୋଟଇ ବିଷାଦ,

ନିରାଶ ନରେଶ ମନ;

ନୃପମର୍ମସ୍ଥଳୁଁ ଉଠେ ନିଶବଦ-

ଶବଦରେ ହା ହା ସ୍ୱନ ।

ବହି ଯାଇଥିଲା ଆସକ୍ତି-କଣ୍ଟକ

ହୃଦୟଗଭୀର ଦେଶେ,

ଉପାଡ଼ିବା ପାଇଁ କରୁ ସେ ଯତନ

ହେଲା ଯାତନା ଅଶେଷେ ।

ହୋଇଥିଲା ଅସ୍ଥି- ମଜ୍ଜାଗତ ଶ୍ୟାମା-

ପୀରତି ନରେଶାନ୍ତରେ,

ରକ୍ତେ ମିଶି ପ୍ରୀତି- ବିଷ ନ ଝଡ଼ିଲା

ଭୀତି-ବୈରାଗ୍ୟ-ମନ୍ତରେ ।

ପ୍ରଣୟ-ପର୍ବତ- ଉତ୍ତୁଙ୍ଗ ଶିଖରେ

ସଂଶୟ-କଣ୍ଟକ ବିନ୍ଧୁ,

ପ୍ରଣୟ-ଶିଖରୁଁ ପଡ଼ି ମଗ୍ନ ହେଲେ

ନୃପ ଘୋର ଦୁଃଖ-ସିନ୍ଧୁ ।

ଭାଳନ୍ତି ଯଯାତି କ୍ଷତ୍ରିୟ ହୋଇ ମୁଁ

ବିପ୍ରକନ୍ୟା ବରିବି କି ?

ନିଜର ମର୍ଯ୍ୟାଦା ବିଧୁବଂଶଯଶ

ଦେବି ପ୍ରତି-ପଦେ ବିକି ?

କି କହିବେ ମୋତେ ବ୍ରହ୍ମର୍ଷିମଣ୍ଡଳ

କି କହିବେ ଶୁକ୍ରଗୁରୁ,

ଦେଖିଲେ ମୋ ରଥ ଆଶିର୍ବାଦ ଅର୍ଥେ

କର ଉଠାନ୍ତି ଯେ ଦୂରୁଁ,

କି କହିବେ ମୋତେ ଜଗତ-ଜନତା

ମୋହରି ପ୍ରକୃତିବର୍ଗେ,

କି କହିବେ ଧିକ ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ

ଏ ଆଦି ତ୍ରିଦଶେ ସ୍ୱର୍ଗେ ।

କି ବୋଲିବେ ମୋତେ ପୂର୍ବ ପତୃକୁଳ,

ସତୀସାଧ୍ୱୀଙ୍କ ସମାଜ,

ସର୍ବୋପରି ମୋର ଅନ୍ତରାତ୍ମା ନିଜେ

ଦେଉଛନ୍ତି ମୋତେ ଲାଜ !

ଯାଅ ଚାଲି ପ୍ରୀତି ଯାଅରେ ଲାବଣ୍ୟ,

ହେ କନ୍ଦର୍ପଦେବ ଯାଅ,

ଅଭାଗା ଯଯାତି ଠାରୁ ଚିରଦିନ

ଦୂର ହୋଇ ରହି ଥାଅ ।

ପ୍ରଣୟ-ପୟରେ ବିବେକକୁ କେଭଁ

ବଳି ମୁହିଁ ଦେବି ନାହିଁ,

ଶୁଷ୍କ ମରୁ ସରି ପ୍ରୀତିହୀନ ପ୍ରାଣ

ଯାପିବି ସ୍ୱରାଜପାଇଁ ।

ଦେବଯାନୀ ସିନା ସରଳା ଅବଳା

ତା ପ୍ରାଣ ସିନା ତା କରେ,

ମୁଁ ଯେ ରାଜ୍ୟଦାସ ରାଜ୍ୟ-ଶୁଭାଶୁଭ

ଭାର ମୋ ଶିର ଉପରେ !

•••

 

ଅଷ୍ଟମ ସର୍ଗ

 

ଶାରଦ ଗଗନେ ହିମାଂଶୁ ତାରକା

ଲଭିଲେ ପାଣ୍ଡୁ ବରଣ,

ବହିଲା ଶୀତଳ ପରିମଳମୟ

ଧୀର ମଳୟ ପବନ,

କୂଜିଲେ କଜ୍ଜଳ- ପତ୍ରୀ ସୁପ୍ତୋତ୍‌ଥିତ୍‌

ପୂତ ସ୍ୱନେ ତରୁଡ଼ାଳେ,

ଶୁଭିଲା ଉଦାସ ଭରତ-ନିଃସ୍ୱନ

ଗହଳ ପତ୍ର ଉଢ଼ାଳେ,

ନଗର ପ୍ରାନ୍ତରୁ ସଘନେ ଶୁଭିଲା

ତ୍ରାମଚୂଡ଼ ଦୂରସ୍ୱନ,

ବୃକ୍ଷେ ବାସଗୃହେ ବସିଣ ରାବିଲେ

କାକଗଣ ଘନ ଘନ,

ଝଟକିଲା ସିନ୍ଧୁ- ସ୍ୱଚ୍ଛୋଦ-ମୁକୁରେ

ପ୍ରଶାନ୍ତ ନିଶାନ୍ତ ଛବି,

ପୂର୍ବାଶା-ଲଳାଟେ ପ୍ରଭାତ- ମୁକୁଟେ

ଝଟକିଲେ ରକ୍ତ ରବି,

ସଦ୍ୟସିନ୍ଧୁସ୍ନାତା ଉଷାଦେବୀ କିବା

ଯାଆନ୍ତି ପ୍ରତିଚୀଦେଶେ,

ପ୍ରାଚୀତୀରେ ଉଭା ଦେବ ଛାୟାପତି

ନିରେଖନ୍ତି ପ୍ରେମାବେଶେ ।

ନିଶି ପାହାନ୍ତରେ ହସ୍ତିନାନଗରେ

ବାଜିଲା ପାହାନ୍ତି ବାଜା,

ସାରି ପ୍ରାତଃକୃତ୍ୟ ରତ୍ନସିଂହାସନେ

ବିଜେ ହେଲେ ମହାରାଜା ।

ଅନମ୍ବରଦେଶେ ଶୁଭିଲା ସଙ୍ଗୀତ,

ହେଲା ଦିବ୍ୟ ପୁଷ୍ପବୃଷ୍ଟି,

ନନ୍ଦନ-ସୈାଗନ୍ଧେ ଆମୋଦିତ ଦିଗ,

ଦେଲେ ନୃପ ଉର୍ଦ୍ଧ୍ବେ ଦୃଷ୍ଟି ।

ଆଦ୍ୟେ ଦିବ୍ୟ-ପ୍ରଭା ଝଟକିଲା ନେତ୍ରେ

ଦୀପ୍ତମୂର୍ତ୍ତି ତତପର

ଶେଷେ ଅନ୍ତରୀକ୍ଷେ ଭାସ୍ୱର ପୁରୁଷ

ଦେଖିଲେ ନୃପତିବର ।

ତ୍ରିଦଶ-ବିବେକ ଦେବର୍ଷି ନାରଦ

ଦିବ୍ୟ ବୀଣା କରେ ଧରି

ନିଜ ଦିବ୍ୟ ବପୁ ପ୍ରଭାରେ ଅମ୍ବର

ଦେଶ ଉଦ୍ଭାସିତ କରି ।

ନନ୍ଦନଜଗନ୍ଧେ କରିଣ ଆକୁଳ

ଉପବନ ଅଳିକୁଳେ,

ପୂତଜଟାଜୁଟ- ବିମଣ୍ଡିତ-ଶିର

ଅବତୀର୍ଣ୍ଣ ମହୀତଳେ ।

କଣ୍ଠରେ ରୁଦ୍ରାକ୍ଷ ମାଳ ବିଳମ୍ବିତ

ଉଚ୍ଚାରନ୍ତି ବ୍ରାହ୍ମ ମନ୍ତ୍ର,

ସୁତାନେ ବଜାନ୍ତି ତ୍ରିଦିବ ବିପଞ୍ଚୀ

ଭବ ମୋହହାରୀ ଯନ୍ତ୍ର ।

‘‘ହ ସଚ୍ଚିଦାନନ୍ଦ ପବିତ୍ର ପ୍ରଶାନ୍ତ

ସତ୍ୟ ଶିବ ହେ ସୁନ୍ଦର,

କୋଟିସୃଷ୍ଟିପତି ଅଜ୍ଞେୟ ଅନନ୍ତ

ଅନ୍ତରୁଁ ଅନ୍ତରତର ।

ସର୍ବଶକ୍ତିମାନ ସର୍ବଦର୍ଶୀ ପ୍ରଭୋ

ନିରଞ୍ଜନ ନିରାମୟ,

ଅନନ୍ତ ଅମୃତ ଆନନ୍ଦନିଧାନ

ସର୍ବଭୁବନ ଆଶ୍ରୟ ।

ହେ ସତ୍ୟସ୍ୱରୂପ ଅଦ୍ୱିତୀୟ ବ୍ରହ୍ମ

ତୁମ୍ଭେ ଏ ସୃଷ୍ଟି କାରଣ,

କୋଟି କୋଟି ବିଶ୍ୱ କୋଟି କୋଟି ପ୍ରାଣୀ

କରିଛ ତୁମ୍ଭେ ଧାରଣ ।

ତୁମ୍ଭ ଜ୍ଞାନ ଏହି ବିଶ୍ୱ ବ୍ରହ୍ମାଣ୍ଡରେ

ସମୁଜ୍ବଳେ ପ୍ରକାଶିତ,

ଚିନ୍ମୟ ଜଗତେ ତୁମ୍ଭ ଶୁଭ ଇଚ୍ଛା

ହୋଇଛି ପ୍ରତିବିମ୍ବିତ ।

କି ଶୁଭ ଉଦ୍ଦେଶେ ଭିଆଇଛ ସୃଷ୍ଟି

ନ ଗଲେହେଁ ସ୍ପଷ୍ଟ ଜଣା,

ମହାନ ଉଦ୍ଦେଶେ ଧାଉଁଛି ଜଗତ

ଏଥେଁ ନାହିଁ କିଛି ବଣା ।

ବିଶାଳ ଏ ସୃଷ୍ଟି ବିଶାଳ ଆକାଶ

ଅନନ୍ତ ଏ କାଳ ସ୍ଥାନ,

ଅନନ୍ତ ଆଦର୍ଶ ମାନବ ଆତ୍ମାର

ଆହେ ପ୍ରଭୁ ଭଗବାନ ।

ଅନନ୍ତ ଅନନ୍ତେ ଅଗଣ୍ୟ ଜ୍ୟୋତିଷ୍କ

ନିରେଖି ହେ ମହାପ୍ରଭୁ,

ଅବନତ ହୁଏ ଏ କ୍ଷୁଦ୍ର ପରାଣ

ଯାଏ ଗର୍ବ ମାନ ସବୁ ।

ହୃଦ ଅନ୍ତଃସ୍ଥଳେ ହେ ବିଶ୍ୱଦେବତା

ତୁମ୍ଭରି ସ୍ୱରୂପ ଦେଖି

ଜାଣିପାରେଁ ଆତ୍ମା ପରମାତ୍ମାକଳା,

ଅଭୟ ପାଏଁ ନିରେଖି ।’’

ସିଂହାସନ ତେଜି ବନ୍ଦିଲେ ନୃବର

ଦେବର୍ଷିପୂତଚରଣେ,

ପାଦ୍ୟ ଅର୍ଘ୍ୟ ଦେଇ ଆସନେ ବସାଇ

ବସିଲେ ସେ ସିଂହାସନେ ।

ସମ୍ଭାଷଣ ଶେଷେ ଦେବର୍ଷି ନାରଦ

ପ୍ରଶ୍ନ-ବ୍ୟାଜ-ଉପଦେଶ

ଶୁଣିଲେ ଯଯାତି ତଦ୍‌ଗତ ହୃଦୟେ

ମନୋଯୋଗେ ନିର୍ମିମେଷ ।

‘‘ଷଡ଼ରିପୁ ଦମି ଆହେ ନରେଶ୍ୱର !

କର ତ ରାଜ୍ୟଶାସନ,

କ୍ଷୁଦ୍ର ସ୍ୱାର୍ଥ ଭୁଲି ନିଷ୍କାମ ହୃଦୟେ

କର କର୍ତ୍ତବ୍ୟ ପାଳନ ।

ଆହେ କ୍ଷଣଜନ୍ମା ନୃପରୂପୀ ଦେବ

ନ୍ୟାୟଦଣ୍ଡ କରେ ଧରି

ଦୁଷ୍ଟ-ନିବାରଣ ଶିଷ୍ଟ-ସୁପାଳନ

କର ଦୟାମୟେ ସ୍ମରି ।

ନୃପ ନରରୂପୀ ମହତୀ ଦେବତା,

ରାଜ୍ୟାଶ୍ରମ-ଋଷି ନୃପ,

ରାଜ ରାଜ୍ୟ-ଦାସ ପ୍ରକୃତିରଞ୍ଜନ

ଧର୍ମ ପ୍ରତିନିଧି ଭୂପ ।

ପ୍ରଜାହିତ ବହ୍ନି ରାଜସ୍ୱାର୍ଥ ଆଜ୍ୟ

ଯଜ୍ଞେ ନୃପ ପୁରୋହିତ,

ରାଜ୍ୟ କୃଷିକ୍ଷେତ୍ର ନ୍ୟାୟ ଧର୍ମେ କୃଷ୍ଣ

ଶାନ୍ତିଫଳେ ସୁଶୋଭିତ ।

ପ୍ରାଣଦାନକାରୀ ମହାପ୍ରାଣ ପାଏ

କାପୁରୁଷୁ ଜୀବନ୍ମୃତ,

କୋଟିବାର ମରେ ଭୀରୁ ଏ ଜୀବନେ

ନ ଆସୁଣୁ ଯମଦୂତ ।

କାମିନୀକାଞ୍ଚନ- ସେବିତ-ଦୂରିତ-

ମାର୍ଗ ପିଚ୍ଛିଳ ସରଳ,

ଶ୍ରେୟ ସୁକଠୋର ପ୍ରେୟ ସୁମୋହନ,

ଚାରିତ୍ର୍ୟ ଶ୍ରେଷ୍ଠ ସମ୍ବଳ ।

ଭବପଥେ ପାନ୍ଥ ସଂଯମ-ଅସିରେ

ଜିଣି ଷଡ଼ରିପୁବଳ

କୃତକର୍ମବଳେ ଚରମେଁ ଲଭଇ

ଆତ୍ମା-ମହା-ଲକ୍ଷସ୍ଥଳ ।

ପ୍ରବୃତ୍ତି ପ୍ରଥମେ ସହଜ ସୁନ୍ଦର

ଅନ୍ତେ ଅଶାନ୍ତିର ହେତୁ,

ନିବୃତ୍ତିପଥରେ କଣ୍ଟକାସ୍ତରଣ

ଚରମେ ବିଜୟକେତୁ ।

ହେ ନୃପସତ୍ତମ ଇନ୍ଦ୍ରିୟଦମନ

ତେଣୁ ସଦା ଶାନ୍ତିପଥ,

ସଂଯମରେ ଶାନ୍ତି ସମ୍ଭୋଗେ ପିପାସା

ପ୍ରବଳ ହୁଏ ସନ୍ତତ ।

ସାରା ବସୁନ୍ଧରା- ତରୁଣୀ ଲଲାମ

ଭୋଗ କଲେହେଁ ନୃବର !

ତୃପ୍ତ ନୋହି ଘୃତା- ହୁତି ଯୋଗେ ବହ୍ନି

ସମ ତୃଷ୍ଣା ଘୋରତର ।

ସମ୍ଭୋଗେ ପ୍ରବୃତ୍ତି- ବର୍ଦ୍ଧିତ ନିୟତ,

ସଂଯମେ ସମ୍ଭୋଗ-ତୃଷ୍ଣା

ଦୁର୍ବଳ ହୁଅଇ ଅନୁଦିନ ନୃପ !

ବିଳାସେ ବଢ଼େ ବିତୃଷ୍ଣା ।

କାଳେ ସେ ବିତୃଷ୍ଣା ଆତ୍ମାସୁପ୍ରସାଦ

ପରିଣାମେ ମହାସୁଖ

ଦିଏ ଜୀବାତ୍ମାକୁ ଶାନ୍ତି ଭୂମାନନ୍ଦ,

ପଳାଏ ତ୍ରିତାପ ଦୁଃଖ ।’’

ଶୁଭାଷିତ ଅର୍ପି ପ୍ରଣତ ନୃବରେ

ମେଲାଣି ମାଗିଣ ମୁନି

ଅନ୍ତରୀକ୍ଷ-ପଥେ ହେଲେ ଅନ୍ତର୍ହିତ,

ନିସର୍ଗ ଭଜିଲା ତୁନି ।

ସହଜେ ତ ନୃପ ପ୍ରବୃତ୍ତି-ପାବକ

ରୋଧୁଥିଲେ ସାବଧାନେ,

ଦେବର୍ଷିଙ୍କ ଦିବ୍ୟ ବାଣୀ ବର୍ଷି ଦେଲା

ଶାନ୍ତି-ସୁଧାବାରି ପ୍ରାଣେ ।

ବୁଝିଲେ ସଂଯମୀ ଧର୍ମାହବେ ସଦା

ସହାୟ ବିଶ୍ୱକାରଣ,

ଯୁଗେ ଯୁଗେ ଏହା ପ୍ରମାଣି ଅଛଇ

ନିଖିଳ ସାଧୁଜୀବନ ।

ଶୁକ୍ର ଅନୁମତି- ବିନା ଶୁକ୍ରସୁତା-

ପାଣି ପରଶିବେ ନାହିଁ

ସୁଦୃଢ଼ ସଙ୍କଳ୍ପ ମନାସି ମାନସେ

ପାଳିଲେ ସେ ନରସାଇଁ ।

•••

 

ନବମ ସର୍ଗ

 

ଦିନେ ମହାରାଜା ଦୈନନ୍ଦିନ କାର୍ଯ୍ୟେ

ବସିଛନ୍ତି ସିଂହାସନେ,

ପାତ୍ର ମିତ୍ରଆଦି ପାରିଷଦଗଣ

ଅଛନ୍ତି ନୃପଗହଣେ ।

ଧର୍ମାଧିକରଣେ ଯଯାତି ନୃବର

କରୁଛନ୍ତି ରାଜକର୍ମ,

ଦିବ୍ୟ ସିଂହାସନେ ବସି କି ତ୍ରିଦିବେ

ଚିରାରନ୍ତି ଦେବ ଧର୍ମ ।

ଦୁଷୃତି-ଦମନ ସୁକୃତି-ପାଳନ

ଉପବିଷ୍ଟ ସୁବିଚାରେ,

ଶିବ ବିଷ୍ଣୁ କିବା ଜ୍ଞାନ ଭାବବୃତ୍ତି-

ଯୁଗ୍ମମୂର୍ତ୍ତି ଏକାଧାରେ ।

ଦକ୍ଷେ ନ୍ୟାୟ ମୂର୍ତ୍ତି ତୁଳାଦଣ୍ଡ ଧରି

ନିରେଖି ଚାହାନ୍ତି ଧୀର,

ସବ୍ୟେ ସାଶ୍ରୁନେତ୍ରା ପ୍ରସାରିତ ପାଣି

ପ୍ରତିମା ଦୟାଦେବୀର ।

ପ୍ରଶାନ୍ତ ଗଭୀର ମୂର୍ତ୍ତି ଯଯାତିଙ୍କ

ହୃଦୟେ କି ଚିରସୁଖ,

ଶୁଭ୍ର ସମୁଜ୍ବଳ ନିଟୋଳ ଲଳାଟ

ତଳେ କିବା ଅଛି ଦୁଃଖ ?

ହୃଦଅନ୍ତସ୍ଥଳେ ଦେବଯାନୀ-ସ୍ମୃତି

ଅଲକ୍ଷ୍ୟେ ଅଛଇ ଛପି,

ହୈମନ୍ତିକ ପଦ୍ମ- ମୃଣାଳ ଯେସନ

ନୀରେ ସେ ଲୁଚଇ ଛପି ।

ଅବକାଶ ବିଡ଼ି କହେ ପ୍ରତିହାରୀ

ପ୍ରବଳ ପ୍ରତାପେଶ୍ୱର !

ଦୈତ୍ୟଗୁରୁ ଶୁକ୍ରା ଚାର୍ଯ୍ୟଙ୍କ ପ୍ରେରିତ

ଆସିଛି ସନ୍ଦେଶହର ।

ଶ୍ରବଣେ ନରେଶ ସବ୍ୟେତର ବାହୁ

ଆସ୍ପନ୍ଦିତ ହେଲା ହେଳେ,

ଭାଳିଲେ କିପାଇଁ ଏ ଚିତ୍ତ ସମୁଦ୍ର

ପୁଣି ପୁଣ୍ୟବେଳା ହେଳେ ?

ପୁଣି କିପାଁ ଗୁରୁ ଶୁକ୍ର-ନାମ ଶୁଣି

ଚିତ୍ତ ମମ ବିଚଳିତ,

ପୁରାତନ ସ୍ମୃତି କ୍ଷତୁଁ ବାର୍ତ୍ତାଘାତେ

ରୁଧିର ହୁଏ କ୍ଷରିତ ?

ନିବାରି ହୃଦୟ- ଉଦ୍‌ବେଳ-ଉଚ୍ଛ୍ୱାସ

ଆଦେଶିଲେ ରାଜ୍ୟେଶ୍ୱର,

‘‘ଯୋଗ୍ୟ ବିଧିମତେ ଆଚାର୍ଯ୍ୟଙ୍କ ଦୂତେ

ସଯତ୍ନେ ସତ୍କାର କର ।

ରାଜକର୍ମ-ଅନ୍ତେ ଯାବନ୍ତ ବାରତା

ଶୁଣିବା ସନ୍ଧ୍ୟାବସରେ,’’

କହି ନୃପ ପୁଣି ନିବେଶିଲେ ମନ

ଆରବ୍‌ଧ ରାଜକାର୍ଯ୍ୟରେ ।

ଦିବାନ୍ତେ ଦୂତକୁ କୁଶଳ ସମ୍ଭାଷି

ପୁଛିଲେ ହସ୍ତିନା-ପତି,

‘‘କହ ହେ ସନ୍ଦେଶ ହର କିପାଁ ତୋତେ

ବରଗିଲେ ଶୁକ୍ର ଯତି ?’’

ଉଭା ହୋଇ ବଦ୍ଧ କରପୁଟେ ଦୂତ

ବୋଇଲା ବିନୀତବାଣୀ,

‘‘ଭୋ ନୃପ ଅଛନ୍ତି ଭୃଗୁନନ୍ଦନଙ୍କ

ପ୍ରିୟା କନ୍ୟା ଦେବଯାନୀ,

ଅପୂର୍ବ ଲାବଣ୍ୟ ବତୀ ଗୁରୁକନ୍ୟା

ଅନବଦ୍ୟାଙ୍ଗୀ ଯୁବତୀ,

ମୃଗୟାବସରେ ଦେଖି ଶ୍ରୀଛାମୁଙ୍କୁ

ଆସକ୍ତା ମଣିମା ପ୍ରତି ।

ଅନୁଦିନ କ୍ଷନ୍ନା ସ୍ନେହର ପ୍ରତିମା

ତନୟାର ମନ ଜାଣି

ବରଗି ଅଛନ୍ତି ଶ୍ରୀଛାମୁକୁ ଗୁରୁ,

ନିବେଦିଲି ଆଜ୍ଞା ବାଣୀ ।’’

କହନ୍ତି କ୍ଷିତୀଶ ‘‘ବ୍ରାହ୍ମଣ-ତନୟା

ଦେବଯାନୀ ଶୁଚିସ୍ମିତା

କ୍ଷତ୍ରିୟର କରେ କେଉଁ ବିଧିମତେ

ହେବେ ଧନୀ ସମର୍ପିତା,

ଶାସ୍ତ୍ର-ଅନ୍ତର୍ଦଶୀ ବିଧିଜ୍ଞ ଆଚାର୍ଯ୍ୟ

କହିଲେ ଏସନ କଥା

କେମନ୍ତେ ହେ ଦୂତ ! ଫେଡ଼ ମୋ ସଂଶୟ

ବୋଲିଣ ତଥ୍ୟ ବାରତା ?’’

‘‘ସଂଶୟ ଫେଡ଼ିବା କାରଣେ ଭୋ ନାଥ

ଧର୍ମଭୀରୁ ମହାବୀର,

ଶ୍ରୀକର-ଅଙ୍କିତ ଆଶିଷ-ପତ୍ରିକା

ଲେଖିଛନ୍ତି ମହାଧୀର ।’’

ପତ୍ରିକା ପଢ଼ିଲେ କଣ୍ଟକିତ କରେ

ହସ୍ତିନାର ଅଧୀଶ୍ୱର

ରାଜ୍ୟଲକ୍ଷ୍ମୀ ଶୁଭ ବିଜୟ କଲ୍ୟାଣ

ବାଞ୍ଛା ପୂର୍ଣ୍ଣ ଗୁରୁଙ୍କର ।

‘‘ପତିତ୍ୱେ ତୁମ୍ଭଙ୍କୁ ବରିଅଛି ମୋର

ପ୍ରିୟ କନ୍ୟା ଦେବଯାନୀ,

କରୁଛି ପ୍ରଦାନ ସଂକଳ୍ପେ ତୁମ୍ଭଙ୍କୁ

ସେ କନ୍ୟାର ଯୋଗ୍ୟ ଜାଣି ।

ବିଧିରେ କ୍ଷତ୍ରିୟ ବାହ୍ମଣତନୟା

ପାରେ ପରିଣୟ କରି,

କଲି ସମ୍ପ୍ରଦାନ ଏ କନ୍ୟା ତୁମ୍ଭଙ୍କୁ,

ମୁଗ୍‌ଧା ସେ ଗୁଣେ ତୁମ୍ଭରି ।

ଶୁଭବ୍ରତା କନ୍ୟା ହେଲେ ପ୍ରେମାଧୀନା

ଅବିହିତ ପ୍ରତ୍ୟାଖାନ,

ଏ ଅନବଦ୍ୟାଙ୍ଗୀ ଅଙ୍ଗନାକୁ କର

ସମର୍ଧିଣୀ ନରରାଣ !

ବ୍ରାହ୍ମଣ କ୍ଷତ୍ରିୟ ବେଶ୍ୟ ଏକ ଜାତି,

ଭେଦବୁଦ୍ଧି ଅନୁଚିତ,

ଏ ଭେଦବୁଦ୍ଧିରେ ନଷ୍ଟ ହେବ କାଳେ

ସ୍ୱର୍ଣ୍ଣପ୍ରସୂ ଭୂଭାରତ ।

କୈଳାସ ଉତ୍ତରୁଁ ଯେତେବେଳେ ଆର୍ଯ୍ୟେ

ଆସିଥିଲେ ଏ ଭାରତେ,

ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ଆଦି ପୁଜି

ସମ ଥିଲେ ସେ ସମସ୍ତେ ।

ଅସୁର-ସଙ୍ଗତେ ସଂଗ୍ରାମ ହେବାରୁ

ଧର୍ମ-ଆଚରଣେ ବେଳ

ନ ମିଳୁଁ ଉପାୟ କରିଥିଲେ ସର୍ବେ

ଆର୍ଯ୍ୟସୁତେ ହୋଇ ମେଳ,

କେହି ଯଜ୍ଞ କେହି ଶତ୍ରୁ-ଜୟ କେହି

କରିବେ ବାଣିଜ୍ୟ କୃଷି,

କ୍ରିୟାଭେଦେ କାଳେ ହେଲେ ତିନି ଜାତି

ସେହି ଏକ ଆର୍ଯ୍ୟ ଋଷି ।

ଜେତା ଆର୍ଯ୍ୟଙ୍କର ସେବା ଶୁଦ୍ରରୂପେ

କଲେ ସେ ଅନାର୍ଯ୍ୟ ଜାତି,

ଉପବୀତଧାରୀ ବେଦାଧ୍ୟାୟୀ ତିନି

ଥିଲେ ପରିଣୟେ ଜ୍ଞାତି ।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏକ ଜାତି

ଭେଦବୁଦ୍ଧି ଅନୁଚିତ,

ଏ ଭେଦବୁଦ୍ଧିରେ ନାରଖାର ହେବ

ଜମ୍ବୁଦ୍ୱୀପ ଆର୍ଯ୍ୟଜିତ ।

ଏକ ଜାତି ମଧ୍ୟେ ବଢ଼ି ଭେଦବୁଦ୍ଧି

ଦେବ ବିଜାତୀୟ ଦ୍ବେଷ,

କାଳେ ସମସ୍ତେ ଯେ ଏକ ଥିଲେ ଏହା

ବିସୋରିବେ ଅବଶେଷ ।

ଏ ଶୁଭ ବିବାହେ ତବ ଔରସରେ

ଜାତ ହେବେ ଯଦୁବୀର,

ତାଙ୍କ ଅଂଶେ ଜନ୍ମି ମହାବୀର ଭାର

ହରିବେ ଏ ଧରିତ୍ରୀର ।

ପ୍ରଚାରିବେ ମହା- ସମନ୍ବୟ-ଧର୍ମ

ହେବେ ସେ ତ୍ରିଯୋଗାଚାର୍ଯ୍ୟ,

ତାଙ୍କ ମହାମନ୍ତ୍ରେ ହେବେ ପରିଣତ

ମହାଜାତିରୂପେ ଆର୍ଯ୍ୟ ।

ଦେଶରକ୍ଷା ବ୍ରତ ମହାବୋହୋ ତବ

କର ଏ ବ୍ରତ ପାଳନ,

ବ୍ରାହ୍ମଣ କ୍ଷତ୍ରିୟେ କୁଟୁମ୍ବ ଜାଣନ୍ତୁ

ଜମ୍ବୁଦ୍ୱୀପବାସିଗଣ ।

ପୂରୁବ ଏକତା ଅଭେଦ ସମ୍ବନ୍ଧ

କାଳେ ସେ ସ୍ମରଣ କରି,

ଭେଦବୁଦ୍ଧି ଭୁଲି ମିଳିବେ ଏକତ୍ର

ଭ୍ରାତୃପ୍ରୀତି ପ୍ରାଣେ ଧରି ।’’

ଏ ପ୍ରିୟ ସମ୍ବାଦେ ଆନନ୍ଦିତ-ମନ

ବିଲୋଳ ନୃପ-ନୟନ,

ସରସୀ-ଗଭୀର- ନୀରେ ମୀନ ଚଳୁଁ

ଦୋହଲେ ପଦ୍ମ ଯେସନ ।

ଅଗ୍ନି ବୋଲି ଯାହା ମଣ ନୃପ ଦୂରୁଁ

ଥିଲେ ଆଶଙ୍କିତମନ,

କଣ୍ଠବିମଣ୍ଡନ ନୟନରଞ୍ଜନ

ହେଲା ପୁଣି ସେ ରତନ ।

ବହୁତ ଯତନ ଲବଧ ରତନ

ଲାଗଇ ଅମୂଲ୍ୟ ପରି,

ସ୍ୱରଗର ଶିରୀ ବିଶ୍ୱ ଶୋଭାଝରି

ନୁହେ ତାହା ସମସରି ।

ସର୍ପଶିରମଣି ଗଜ ମୁକୁତା ବା

ସିନ୍ଧୁଗର୍ଭଜ ପ୍ରବାଳ

ସୀମନ୍ତିନୀମଣି କରି ଶିରୋମଣି

କଣ୍ଠେ ବା କରନ୍ତି ମାଳ ।

ଦୂର ପରାହତ ଆଶାର ଅତୀତ

ସୁନ୍ଦରୀମଣିର ଲାଭ

ମଣିଲେ ନୃପେନ୍ଦ୍ର ଅକୂଳ ସମୁଦ୍ର

କୂଳେ କି ଲାଗିଲା ନାବ ?

•••

 

ଦଶମ ସର୍ଗ

 

ଶୁଭ୍ର ଶତଦଭ୍ର- ଚନ୍ଦ୍ରାତପ ତଳେ

ବୀର ଯଯାତିଙ୍କ ସହ

ବିହିତ ବିଧାନେ ଦେବଯାନୀଙ୍କର

ହେଲା ଶୁଭ ପରିଣୟ ।

ପୁରନ୍ଧ୍ରୀସମାଜ କଲେ ପୁରକୃତ୍ୟ

ପ୍ରଗଳ୍‌ଭରେ ଅନୁଷ୍ଠାନ,

ହୁଳହୁଳି ଧ୍ୱନି ଶଙ୍ଖଘଣ୍ଟାନାଦେ

କମ୍ପେ ଦୈତ୍ୟ ସୈାଧମାନ ।

ଋତ୍ୱିକ ପୁରୋଧା ପଢ଼ି ବେଦମନ୍ତ୍ର

କଲେ ହୋମ ଅନୁଷ୍ଠାନ

ବରବଧୂକରେ ଦେଲେ ଲୀଜାଞ୍ଜଳି

ହସ୍ତଗ୍ରନ୍ଥି କଲେ ଦାନ ।

ତୂରୀ ଭେରୀ ଶଙ୍ଖ ପଟହ କାହାଳୀ

ବିବିଧ ବାଦିତ୍ରରାଶି

କକୁଭକୁହର କଲା ନିନାଦିତ

ମତ୍ତ ଶିଶୁ ପୁରବାସୀ ।

ସମାଗତ-ଋଷି- ଦାନବମଣ୍ଡଳୀ

ମଧ୍ୟେ ନହୁଷନନ୍ଦନ

ପ୍ରଦକ୍ଷିଣ କରି ଆଚାର୍ଯ୍ୟ ଭାର୍ଗବେ

କଲେ ସେ କନ୍ୟା ଗ୍ରହଣ ।

ଶୁଭ-ଅନୁଷ୍ଠାନେ ଦାସୀରୂପେ ଜେମା

ହୃଷ୍ଟମନେ ଦେଲେ ଯୋଗ,

କାହା ଲଳାଟରେ ଲେଖା ଅଛି ସୁଖ

କାହା ଭାଲେ ଦୁଃଖଭୋଗ ।

ବିଧିମତେ ସାଙ୍ଗ ଉଦ୍‌ବାହ-ଉତ୍ସବ,

ପତିଗୃହେ ଦେବଯାନୀ

ଗହଣେ ଶର୍ମିଷ୍ଠା ଗଲେ ଦାସୀପଣେ

ଚନ୍ଦ୍ରକୁଳରାଜଧାନୀ ।

ସ୍ୱଜାତି ହିତାର୍ଥେ ଦାନବେନ୍ଦ୍ରଜେମା

ହେଲେ ଚିରସେବାଦାସୀ,

ଆହୁତି ଦେଇଣ ଆତ୍ମସୁଖେ ହେଲେ

ସଖୀ-ସ୍ୱାମି-ଗୃହବାସୀ ।

•••

 

ଏକାଦଶ ସର୍ଗ

 

ଫେରିଲେ ଯଯାତି ହସ୍ତିନା ନଗରେ,

ଗହଣେ ଭାର୍ଗବସୁତା

ରାଜକନ୍ୟା ସଖୀ- ସହସ୍ର ଯୁବତୀ

ବିପୁଳଯୈାତୁକଯୁତା ।

ପୁରନ୍ଦର ପୁର ସମ ରାଜପୁରେ

ସୁମଧ୍ୟମା ଦେବଯାନୀ

ରହିଲେ ସହସ୍ର ଦାସୀପରିବୃତା

ହସ୍ତିନାର ପାଟରାଣୀ ।

ପୁଚ୍ଛନ୍ତେ ନୃବର ପ୍ରିୟ ସଖୀଙ୍କର

ସବିଶେଷ ବିବରଣ,

ଦେବଯାନୀଙ୍କର ଇଙ୍ଗିତ ଲଭିଣ

ଚଞ୍ଚଳା କଲା ବର୍ଣ୍ଣନ ।

‘‘ଏ ଲାବଣ୍ୟବତୀ ବୀରବୃକ୍ଷପର୍ବା

ଦାନବକୁଳଶେଖର-

କନ୍ୟା ଜେମାମଣି ଦେବଯାନୀ-ଦାସୀ

ଶର୍ମିଷ୍ଠା ନାମ ତାଙ୍କର ।’’

ପୁଛିଲେ ବିସ୍ମୟେ ଚନ୍ଦ୍ର କୁଳଚନ୍ଦ୍ର

‘‘ରାଜସୁତା କାହିଁପାଇଁ

ଗୁରୁସୁତାଙ୍କର ହେଲେ ଅନୁଚରୀ

ମୁଁ ଯେ ବୁଝି ପାରୁ ନାହିଁ ।’’

ବୋଲଇ ଚଞ୍ଚଳା ‘‘ପିତୃପଣ ପାଳି

ନିଜ କୃତ କର୍ମପାଇଁ

ଦାସୀପଣ କରି ପାପପ୍ରାୟଶ୍ଚିତ୍ତ

କରନ୍ତି ଏ ନରସାଇଁ !

ଦିନେ ଜଳକେଳି ବଢ଼ାଇ ସମସ୍ତେ

ତଟବଟମୂଳେ ଯାଇଁ

ଦେଖିଲୁଁ ବସନ ନିଜ ନିଜ ସ୍ଥଳେ

ପୂର୍ବ ପରି ଆଉ ନାହିଁ ।

ଭ୍ରମେ ରାଜଜେମା ଦେବଯାନୀ ବାସ

ପିନ୍ଧନ୍ତେ ଲାଗିଲା ବାଦ,

ଆଜ୍ଞା ଦେଲେ ଜେମା ‘ଦାସୀ ତା ଚାପଲ୍ୟ

ପ୍ରତିକାର ଭଲେ ସାଧ ।’

ଯା’ନ୍ତେ ଜେମା ଆଜ୍ଞା ସତ୍ୟ ମଣି ଦାସୀ

ପ୍ରତିହିଂସାନଳେ ଜଳି,

ଦେବଯାନୀ ସଙ୍ଗେ କଲା ଝିଙ୍କାଝିଙ୍କି

ପଡ଼ିଲେ ଏ କୂପେ ଢଳି ।

ମୃଗୟା-ଆଶୟେ ସେହି ବିପିନକୁ

ଛାମୁ କରିଥିଲେ ବିଜେ,

ଉଦ୍ଧାରିଣ କୂପୁଁ ଦେବଯାନୀ ଜୀବ

ରଖିଲେ ମଣିମା ନିଜେ ।

ଶିଷ୍ୟା ଅପମାନେ ରୋଷେ ଦେବଯାନୀ

ତେଜୁଣଥିଲେ ନବର,

ଦେବାସୁର ଯୁଦ୍ଧେ ସାହା ଆଚାର୍ଯ୍ୟଙ୍କୁ

ମିନତୀ କଲେ ନୃବର ।

ଅନୁତାପ କରି ଶର୍ମିଷ୍ଠା ସୁନ୍ଦରୀ

କଲେ ଏ ଦାରୁଣ ପଣ,

‘‘ଦାନବ-ସଂସାର ରକ୍ଷଣ ନିମନ୍ତେ

ସମର୍ପିବି ଏ ଜୀବନ ।

ଦେବଯାନୀ ଯହିଁ ହେବେ ପରିତୁଷ୍ଟ

କରିବଇଁ ମୁହିଁ ତାହା,

ମୋ ଛାର ଅବଳା ଲାଗି ବଂଶେ ନାଶ

ହେବେ କିପାଁ ନରନାହା ।’’

ବୋଇଲେ ମାନିନୀ ଦେବଯାନୀ ଧନୀ

‘‘ହେଉ ଜେମା ମମ ଦାସୀ,

ଭୁଲି ଅଭିମାନ ହେବୁଁ ପିତା ସୁତା

ଦାନବ ନଗରବାସୀ ।’’

ପିତୃକୁଳ ହିତେ ବିଷମ ପ୍ରତିଜ୍ଞା

ପାଳି ଏ ରାଜତନୁଜା

ସେହି ଦିନୁ ଦାସୀ- ପଣେ କରୁ’ଛନ୍ତି

ଦେବଯାନୀ ପାଦପୂଜା ।

ବେନିଙ୍କୁ ଚାହିଁଣ ତୀକ୍ଷ୍‌ଣଦୃଷ୍ଟି ନୃପ

ବିଚାରନ୍ତି ହୃଦଗତେ-

‘‘ବେନି ବାଳା ମଧ୍ୟେ ପ୍ରଭେଦ ଲକ୍ଷଣ

ଅପୂର୍ବ ଲାଗଇ ମତେ ।

ଏକ ଭାନୁକର- ଫୁଲ୍ଲ କମଳିନୀ,

କ୍ଷୁଣ୍ଣା କୁମୁଦିନୀ ଆନ,

ଏକ ନିଦାଘର ଖର ରୈାଦ୍ରତାପ

ଶାରଦ ଚନ୍ଦ୍ରିକା ଆନ ।

ଏକ ପ୍ରଭାତରେ ଉଇଁ ଆସୁଥିବା

ବାଳଭାନୁ ଦୀପ୍ତକର,

ଆନ ପୂର୍ଣ୍ଣିମାର ସୁଧାଂଶୁ କିରଣ

ସ୍ନିଗ୍‌ଧ ଜ୍ୟୋସ୍ନା ଶରତର ।

ଏକ ଖର ତ୍ରୀବ୍ର ଆବେଗେ ଦୁଃସହ

ଉଦ୍ଦାମ ମରୁତୋଚ୍ଛ୍ୱୋସ,

ଆନ ମଧୁମୟ ମୃଦୁ ମନୋରମ

ସୁରଭି କୁସୁମବାସ ।

ଏକ ବର୍ଣ୍ଣ ଗନ୍ଧେ ମହକାଇ ଦିଗ

ଚହଟଇ ଚାରିଆଡ଼େ,

ଆନ ଅପ୍ରଗଳ୍‌ଭ ବନଫୁଲ ପରି

ଲୁଚଇ ଲତା ଉହାଡ଼େ ।

ଏକ ଶୁଭ୍ର ଶ୍ବେତ ପ୍ରବଳ ଜାହ୍ନବୀ,

ଆନ ଅସିତବରଣା ।

ତନୁ ନୀରବେଣୀ ବିଷାଦ ଗମ୍ଭୀର

ମରୀଚିମାଳୀଙ୍କ କନ୍ୟା ।

ଏକ କର୍ମ ହେତୁ ଇଚ୍ଛାଶକ୍ତିପ୍ରାୟ

ଦର୍ପିତ ଦୁଃସହ ଟାଣ,

ଚିରସ୍ଥିର ସ୍ନିଗ୍‌ଧ ଉଚ୍ଚ ଭାବବୃତ୍ତି

ଦୟା- କ୍ଷମା- ସମା ଆନ ।

ଏକ ତନୁତୃଷ୍ଣା ଉଦ୍ଦାମ ପିପାସା

ତୀବ୍ର ସମ୍ଭୋଗ କାମନା,

ଆନ ସ୍ୱାର୍ଥହୀନ ସଂଯତ ନିବୃତ୍ତ

ମୃଦୁ ନୀରବ ବାସନା ।

ଏକ ପ୍ରବୃତ୍ତିର ପିଚ୍ଛିଳ ପରିଖା,

ଆନ ପନ୍ଥା ନିବୃତ୍ତିର,

ଏକ ସ୍ଥୂଳ ଦେହ, ଆନ ସୂକ୍ଷ୍ମ ଆତ୍ମା

ଅବିନଶ୍ୱର ଗମ୍ଭୀର ।

ଦେଖିଥିଲି ବନେ ଏ ବାଳାକୁ ଦିନେ

ଲୁଚିଲା ଲତାନ୍ତରାଳେ,

ମାଦକତାହୀନ ଏ ରୂପମାଧୁରୀ

ବୁଝି ନ ଥିଲି ସେ କାଳେ ।

ଦେବଯାନୀ-ରୂପ - ଦୀପ୍ତିରେ ଏ ପ୍ରଭା

ବୁଡ଼ି ଯାଉଥିଲା କି ସେ,

ବିଭାବସୁ ତେଜେ ମୃଦୁ ଇନ୍ଦୁ କଳା

ଯେସନ ନିଷ୍ପ୍ରଭ ଦିଶେ ।

ଅପୂର୍ବ ଚାରିତ୍ର୍ୟ- ମାଧୁରୀ ସେ ରୂପ

କାଳକ୍ରମେ ରସାଣିଲା,

ମାନସ-ସୁଷମା ରୂପଲାବଣ୍ୟରେ

ମୋହ-ଆବେଶ ବୋଳିଲା ।

ଅଛଇ ସୈାନ୍ଦର୍ଯ୍ୟ ପଡ଼ନ୍ତେ ନୟନ

ଜନମେ ପ୍ରଥମେ ରାଗ,

ଦୈନନ୍ଦିନ ପରି- ଚୟ ସଂଘର୍ଷଣେ

ତୁଟେ କ୍ରମେ ଅନୁରାଗ ।

ଅଛି ପୁଣି ଶୋଭା ପ୍ରଥମ ଦର୍ଶନେ

ଅସ୍ପଷ୍ଟ ମଧୁର ପ୍ରୀତି,

ସଂସ୍ପର୍ଶେ ଆସିଲେ ବଢ଼େ ଅନୁଦିନ

ପବିତ୍ର ଗଭୀର ରୀତି ।

ଅଛି ଏକ ଶୋଭା ପ୍ରାଣ-ମନୋଲୋଭା

ଜନ୍ମାଏ ଭୋଗ ପିପାସା,

ଅଛି ଶୋଭା ଆହା ଦେଖି ହୁଏ ଯାହା

ଦୂରର ପୂଜିବା ଆଶା ।’’

ପୁର-ଉପକଣ୍ଠେ ବୈଭ୍ରାଜସଙ୍କାଶ

ନିବିଡ଼ ଅଶୋକ ବନେ

ଅଷ୍ଟଧାତୁ ନବ ରତନେ ଖଚିତ

ଗଢ଼ିଲେ ନବ ଭବନେ ।

ବୃକ୍ଷପର୍ବ ଜେମା- ଗଉରବ ଜାଣି

ଉଶନାଙ୍କ ବାଣୀ ସ୍ମରି

ଦାସ ଦାସୀ ଧନ ସମ୍ପଦେ ନବର

ଦେଲେ ନୃପ ପୂର୍ଣ୍ଣ କରି ।

ଚାରି ତରୁ ଲତା ସୁସ୍ୱର ବିହଙ୍ଗ

ବିଚିତ୍ର ସୁନ୍ଦର ଯାହା

ରାଜବାଳାଭୋଗ୍ୟ ବିଚାରି ନୃପେନ୍ଦ୍ର

ଆଣି ଖଞ୍ଜି ଦେଲେ ତାହା ।

ଏମନ୍ତ ନବରେ ବୃକ୍ଷପର୍ବସୁତା

ଶୋଭାବତୀ ରାଜବାଳା

ବସିଣ ଭାଳନ୍ତି, ନୃପସେବାପାଇ

ଗୁନ୍ଥି ଗୁନ୍ଥି ବନମାଳା ।

‘‘ନୀରବ ସୁସ୍ନିଗ୍‌ଧ ହରଷକୈାମୁଦୀ

ମୋ ଆନନେ ପ୍ରସ୍ପୁଟିତ,

ମୋର ଅନ୍ତଃସ୍ଥଳେ ଅତୃପ୍ତି ଅନଳ

କିନ୍ତୁ ହୁଏ ପ୍ରଜ୍ବଳିତ ।

ଦେଖନ୍ତି ସକଳେ ମୋତେ ହରଷିତ,

ନ ଜାଣନ୍ତି ପ୍ରାଣପୁର

ବିଷାଦସରିତ- ସ୍ରୋତେ ନିମଜ୍ଜିତ

ମୋର ସୁଖ-ଶସ୍ୟ ଜୁର ।

ପୋଡ଼ି ଯାଇଅଛି ପରାଣ ସୁହାଗ

ଶୁଖିଛି ମୋ ସୁଖଧାରା,

ମୋ ଜୀବନ ସିନା ଚିର ଅନ୍ଧକୃତ

ଅସ୍ତମିତ ସୁଖ-ତାରା ।

କିଏ ରଖେ ମୋର ଜୀବନସମ୍ବାଦ,

କିଏ ବୁଝେ ମୋର ମନ,

କେହି ଜାଣି ନାହିଁ ମୋ ଅନ୍ତରଦେଶ

କାହା ଲାଗି ସୁବିଷଣ୍ଣ ।

ଦାସୀଦ୍ବ ବରଜି ନିଜ ଇଚ୍ଛାମତେ

ସଂସାର କରିବା ପାଇଁ

ସଖୀ ଦେବଯାନୀ କଲା କେତେ ଅଳି,

କଲି କାହିଁପାଇଁ ନାହିଁ ।

ପିତା ମାତା ସଖୀ କେହି ନ ଜାଣନ୍ତି

ଜାଣନ୍ତି ଏକା ସେ ପ୍ରଭୁ,

ନ ଜାଣନ୍ତି ସୁଦ୍ଧା ରାଜର୍ଷି ସେ ଦୁଃଖ

ଯା ଲାଗି ତେଜିଲି ସବୁ ।

ନ ଜାଣିଲେ ନାହିଁ ତାଙ୍କ ସେବା କରି

ତାଙ୍କ ଆଜ୍ଞା ଶିରେ ଧରି,

ଅଜ୍ଞାତେ ତାଙ୍କରି ଶ୍ରୀପଦ ଚିନ୍ତିଣ

ଯାଉ ମୋର ଦିନ ସରି ।

ତାଙ୍କରି ପାଇଁ ମୁଁ ହେବି ନିଃସ୍ୱାର୍ଥ

ଧରିବି ଏହି ଜୀବିତ,

ଦାସୀର ଏ ଭବେ ନାହିଁ ଆଉ ସୁଖ,

ଏ ସେ ଶ୍ରୀପଦେ ବିକ୍ରୀତ ।

ପ୍ରାଣ ପ୍ରିୟତମ ରାଜରାଜେଶ୍ୱର,

ବିଭବ ନ ସରେ କହି,

ମହାରାଣୀ ପଦେ ନାହିଁ ମମ ବାଞ୍ଛା,

ଦାସୀପଣେ ଥିବି ରହି ।

ଅଙ୍କେ ତାଙ୍କ ଶିର ନିହିବା କାମନା

ନାହିଁ ନାହିଁ ମୋର ମନେ,

ଶ୍ରୀଚରଣ ସ୍ମୃତି ଥିବ ଏହି ଦାସୀ

ସ୍ଥାପି ଦଗ୍‌ଧ ପ୍ରାଣାସନେ ।

କେତେ ହ୍ରଦ ନଦୀ ସରସୀ ସମୁଦ୍ର

ନାହିଁ ଏ ଅବନୀତଳେ !

ସର୍ବ ଆଶା ତେଜି ନିବେଶେ ଚାତକ

ଆଶା ଜଳଧର-ଜଳେ ।

ଜଳଦ-ଆଶାରେ ଯୋଜନ ଦୂରରୁ

ତୃଷ୍ଣାବହ୍ନି ଜାଳି ବକ୍ଷେ

‘ସ୍ଫଟିକ ଜଳ ଦେ’ ‘ସ୍ଫଟିକ ଜଳ ଦେ’

ରାବଇ, ସତୃଷ୍ଣ ଚକ୍ଷେ ।

ନୀରଦର ପ୍ରେମ ବାରିବିନ୍ଦୁ ପାନେ

ଧରେ ଯଥା ସେ ଜୀବନ,

ଯାପିବି ଜୀବନ ତଥା ତାଙ୍କ ପଦେ

ନିବେଶି ଏ ଦଗ୍‌ଧ ମନ ।

ଦେଖିଲି ଯେ ଦିନ କାନନେ ନୃପଙ୍କୁ

ପ୍ରଥମ ଦର୍ଶନ ତାହା,

କେତେ କାଳୁଁ ସେ ଯେ ଚିର ପରିଚିତ

ପରାୟେ ଦିଶିଲେ ଆହା !

ଜଣାଗଲା ମୋତେ ଜନ୍ମଜନ୍ମାନ୍ତରୁ

ସେ ମୋହର ମୁଁ ତାଙ୍କର,

ଶରଣ ପଶିଲା ପ୍ରାଣ ଶ୍ରୀପୟରେ

ଯେସନ କିଣା କୋୟର ।

ସୁରଲୋକାଗତ ଦେବତା ପରାୟେ

ମଣିଲି ମୁଁ ସେ ଅତିଥି,

କି ଭାବ ଜନ୍ମିଲା ପରଣେ ସେ ଦିନୁ ?

ଅଟଇ କି ତାହା ପ୍ରୀତି ?

କେମନ୍ତେ ଦେବି ମୁଁ ପୀରତି ତା ନାମ,

ପୀରତି ଦେବଯାନୀର,

ଯହିଁରେ ଉନ୍ମତ୍ତା ବାଞ୍ଛା କଲା ବାଳା

ନରେଶ୍ୱରଙ୍କ ଶରୀର ।

ସେ କହେ ଯଯାତି ଷୋଳପଣ ତାର,

ଚିର ସମ୍ଭେଗ୍ୟ ସେ ତାର;

ପ୍ରାଣେଶ ତାହାକୁ ଯାମିନୀ ବାସର

କରିବେ ଗଳାର ହାର !

ଦାସୀପଣେ ତାଙ୍କ ପଦ ସେବିବାକୁ

ମୋତେ ମାଡ଼ୁଅଛି ଡର,

ଦୁଲୁ ଦୁଲୁ ଛାତି ଦୁଲୁକେ ମୋହର

ସୁମରି ଗୁଣ ତାଙ୍କର ।

କଥା କହିବାକୁ ମାଡ଼େ ମୋତେ ଲାଜ

ସଦା ପଜେ ଦୁରୁ ପ୍ରାଣେ,

ପ୍ରଣାମ କରେ ମୁଁ ଚରଣ ଉଦ୍ଦେଶ୍ୟ

ବଞ୍ଚେ ମୁଁ ତାଙ୍କରି ଧ୍ୟାନେ ।

ଧରଣୀ ଗଗନ ତରୁ ଲତା ବନ

ଗିରି ନଦୀ ସରୋବର

ଯଯାତିମୟ ମୋ ନୟନେ ଦିଶନ୍ତି

ଉପବନ ପୂର ଘର ।

ଏହିପରି ତାଙ୍କ ଚିନ୍ତନେ ଜୀବନ

ଯାପିବଇଁ ଦାସୀଭାବେ,

ଯଯାତି ବିହୁନେ ଚଉଦ ଭୁବନେ

ନାହିଁ ଆଶା କେଉଁଠାବେ ।

ଅଙ୍ଗ-ଭୋଗ-ଆଶା ନ ପୋଷଇ ମୁହିଁ

ମଳିନ ସମ୍ଭୋଗେ ପ୍ରୀତି,

ପ୍ରଣୟ-କୁସୁମ ଛୁଇଁଲେ ମଉଳେ

ଚିରନ୍ତନ ପ୍ରୀତିରୀତି ।

ପ୍ରୀତି ଦିବ୍ୟ ପକ୍ଷୀ, କାମନା-ଜମ୍ବାଳେ

ନ ପାରଇ ତାହା ରହି,

ସ୍ୱାର୍ଥ ହାତ ଦେଲେ ପ୍ରୀତି ଲଜ୍ଜାବତୀ

ଲତା ଝାଉଁଳି ପଡ଼ଇ ।

ଶୁଣିଥିଲି ବାଲ୍ୟେ ଦିବ୍ୟ ଗୁଣଗାଥା

କୋଟିମୁଖୁଁ ରାଜାଙ୍କର,

ମୋ ପ୍ରେମ-ବାରିଧି ଉଛୁଳି ଉଠିଲା

ସ୍ପର୍ଶି ଗୁଣ-ସୁଧାକର ।

ନୀରବେ ଧ୍ୟାଇଲି ତାଙ୍କ ନାମ ଗୁଣ

ଆଶ୍ରିଣ ନାମ ତାଙ୍କର,

ଦେଖି ଦିବ୍ୟ ରୂପ ଗୁଣ, ମେଣ୍ଟିଗଲା

ବିବାଦ ଚକ୍ଷୁ କର୍ଣ୍ଣର ।

ସେ ମଧୁର ହାସ ସେ ମଧୁର ଭାଷ

ସେ ମଧୁର ଶାନ୍ତ ଦୃଷ୍ଟି

ଗୁଣ ଅନୁରୂପ ମୋହନ ମୂରତି

କଲା ପ୍ରାଣେ ସୁଧା ବୃଷ୍ଟି ।

ଦୁଃଖି-ଦୁଃଖ ଦେଖି ଦୟା-ପ୍ରେମସିକ୍ତ

ମାନସେ ମନାସେଁ ଯାହା,

କର୍ମଯୋଗୀ ବୀର ଆର୍ତ୍ତତ୍ରାଣ ନୃପ

ସଂସାରେ ସାଧନ୍ତି ତାହା ।

ମୋ ପ୍ରାଣସଙ୍ଗୀତ ତାଙ୍କ କର୍ମବୀଣା

ବଜାଏ କେଉଁ ପ୍ରକାରେ !

ସେ ମୋ ସମଧର୍ମା ମୁଁ ସମଧର୍ମିଣୀ

ଶାଶ୍ୱତ ପ୍ରେମସଂସାରେ ।

ଅଙ୍ଗସଙ୍ଗ ଭୋଗ ଅଢ଼େଇ ଦିନର

ନଶ୍ୱର ଯୈାବନ ଶୋଭା,

ରୋଗ ଜରା ଆସି ବିକଳ କରଇ

ଯାହା ଦିଶେ ମନଲୋଭା ।

ନଶ୍ୱର ଦେହରେ ଯୈାବନ-କୁସୁମ

ଫୁଟି ଦୁଇ ଦିନେ ଝଡ଼େ,

ଚିରନ୍ତନ ପ୍ରୀତି ତ୍ରିଦିବ କୁସୁମ

ଫୁଟି ଦିନୁଁଦିନ ବଢ଼େ ।

ଏ ଜଗତ ଆହା ଚର୍ମବର୍ଣ୍ଣବାଇ

ଯାହା ଦେଖେଁ ଭବେ ନିତି,

କାମଭୋଗ ତୃଷ୍ଣା ରୂପଜ ମୋହ ସେ

ନୁହଇ ନିଃସ୍ୱାର୍ଥ ପ୍ରୀତି ।

ପୀରତି ସ୍ୱର୍ଗୀୟ, କାମ ନାରକୀୟ,

କାମ ନୁହେ ପ୍ରେମ ସରି,

ପ୍ରେମ କାମ ମଧ୍ୟେ ପ୍ରଭେଦ ବିଶେଷ

ସ୍ୱରଗ ନରକ ପରି ।

କାମ ଅମାନିଶା ଘନକୃଷ୍ଣ ଧ୍ବାନ୍ତ,

ପ୍ରେମ ପୂର୍ଣ୍ଣେନ୍ଦୁ କିରଣ,

କାମ ପ୍ରାବୃଟର ଘୋର ଘନ, ପ୍ରେମ

ଶାରଦ ଚନ୍ଦ୍ରିକା-ବନ ।

କାମ ନିଦାଘର ଖର ରୈାଦ୍ର ତାପ,

ପ୍ରେମ ଜ୍ୟୋସ୍ନା ଶରତର,

କାମ ଅଟେ ଘୋର କୃଷ୍ଣବର୍ଣ୍ଣ, ପ୍ରେମ

ସ୍ୱଚ୍ଛ ଶୁଭ୍ର ପବିତର,

ଭୋଗେ ବଢ଼େ କାମ, ତ୍ୟାଗେ ବଢ଼େ ପ୍ରେମ

ମିଳନେ ପ୍ରଗାଢ଼ କାମ,

ବିଚ୍ଛେଦେ ବଢ଼ଇ ନିର୍ମଳ ପୀରତି

ଆଶ୍ରିଣ ପ୍ରଣୟି-ନାମ ।

ସ୍ୱାର୍ଥ ତ୍ୟାଗେ ବଢ଼େ ବିମଳ ପ୍ରଣୟ,

ସମ୍ଭୋଗେ କରେ ସେ ଭୟ,

ସ୍ୱାର୍ଥ ହସ୍ତ ଦେଲେ ପୀରତି ତନୁରେ

ପ୍ରୀତି ପାଇଯାଏ ଲୟ ।

ପ୍ରେମିକ-ହୃଦୟ ସ୍ୱଚ୍ଛ ସରୋବର,

ପ୍ରେମ ଗଗନର ଇନ୍ଦୁ,

ପ୍ରେମ ଅଟେ ପୂର୍ଣ୍ଣ ପୂର୍ଣ୍ଣିମା-ଚନ୍ଦ୍ରମା

ହୃଦ ଉଚ୍ଛ୍ବସିତ ସିନ୍ଧୁ ।

ଅମଳ ଅମ୍ବରେ ଶାରଦ ଚନ୍ଦିକା

କହେ କେବେ କି ବଚନ,

ତେବେ କାହିଁପାଇଁ ସେ ବିଧୁ ଦର୍ଶନେ

ଉଛୁଳେ ସିନ୍ଧୁ ଜୀବନ ?

ନବୀନ ବସନ୍ତେ ଚୂତଶାଖେ ଶୁଭେ

‘‘କୁହୁ’’ ‘‘କୁହୁ’’ ପିକ-ରବ,

ବେନି ବର୍ଣ୍ଣେ ବିହି ନିହିଛି ଆହା କି

ଅକ୍ଷୟ ପ୍ରେମ-ବିଭବ !

ସେ ପ୍ରେମ ଗୈାରବ ବୁଝଇ କେବଳ

ଋତୁରାଜ ମଧୁ ସିନା,

ତାହା ଜାଣି ପିକ ନ ଦିଅଇ ପ୍ରେମ

ଆନେ ସେ ବସନ୍ତ ବିନା ।

ପ୍ରେମିକ ଯେ ଜନ ପ୍ରେମ ସେହି ଦେଖେ,

ଆନ ଅନ୍ଧ ଚକ୍ଷୁ ଥାଇ,

ବିଶ୍ବାସେ ପ୍ରଣୟ ଉଜ୍ବଳ, ସଂଶୟେ

ନୟନେ ଦିଶଇ ନାହିଁ ।

ଏ ଅନ୍ଧ ଭୁବନେ ହୃଦ ଦରଶନେ

ପ୍ରୀତି-ସିନା ସୁ ଅଞ୍ଜନ,

ଆନ ଦେଖି ଯାହା ନ ପାରଇ ତାହା

ପ୍ରେମିକ କରେ ଦର୍ଶନ ।

ବିଗତ ଜୀବନ- ସ୍ମୃତି-ବୀଚିମାଳେ

ହୃଦ ସିନ୍ଧୁ ଉଦବେଳ,

ବୈରାଗ୍ୟେ ରୋଧନ୍ତି ମନସ୍ୱନୀ ବାଳା

ଯେସନ ବେଳା-ଅଚଳ ।

ନିଜ ଦୁଃଖ ଦଶା ବିସୋରି ଭାଳନ୍ତି

ଦୁଃଖିଜନ ଦଶା ସ୍ମରି,

ପଙ୍କଜପଳାଶ ଲୋଚନୁଁ ଲୋତକ

ଝର ଝର ପଡ଼େ ଝରି ।

ସୃଷ୍ଟି ଦୁଃଖ ସ୍ମରି ବୃକ୍ଷପର୍ବଜେମା

ଭାଳୁଥାନ୍ତି ନାନାରୂପେ,

‘‘ସହସ୍ର ପରାଣୀ ଘୋର ଦୁଃଖେ କାଳ

କାଟୁଛନ୍ତି ଭବକୂପେ ।

ଦୁର୍ବଳେ କରନ୍ତି ପ୍ରବଳ ଲୋକଙ୍କ

ଅତ୍ୟାଚାରେ ହାହାକାର,

ବାସର ଯାମିନୀ ଉଠେ ବ୍ୟୋମ ଭେଦି

ବିକଳ ନିନାଦ ତାର ।

କୋଟି କୋଟି ପ୍ରାଣୀ ବ୍ୟାଧି ଜରା ଶୋକେ

ଡ଼ାକୁଛନ୍ତି ତ୍ରାହି ନାଦେ,

କେତେ ନର ନାରୀ ପାଆନ୍ତି ଯାତନା

ଦୈବଦତ୍ତ ପରମାଦେ ।

କେହି ଦୁଃଖୀ ଧନେ କେିହ ଦୁଃଖୀ ଜନେ

କେହୁ ମନେ କେହୁ ମାନେ,

କେ ଚାରିତ୍ର୍ୟେ କେହୁ ଧର୍ମ ପୁଣ୍ୟପ୍ରେମେ

କେହୁ ରୋଗେ କେ ଅଜ୍ଞାନେ ।

କାହାରି କପାଳେ ଷୋଳକଳା ସୁଖ

ସମଦର୍ଶୀ ନ୍ୟାୟ ବିହି,

ଦେହ ମନ ଆତ୍ମା ସର୍ବ ବିଷୟରେ

କାହିଁ ତ ନାହାନ୍ତି ଲିହି !

ତେବେ କିପାଁ ମୁହିଁ ନିଜ ଦୁର୍ଦ୍ଦଶାରେ

ହେଉଅଛି ଦହ୍ୟମାନ,

ମୋହଠାରୁ ମଧ୍ୟ ଅଛନ୍ତି ମହୀରେ

ନରନାରୀ ହୀନମାନ ।

ବିଧି କାହା ପତ୍ରେ ଅଜାଡ଼ି ନାହାନ୍ତି

ପାତ୍ର-ପୂର୍ଣ୍ଣ ସୁଖ-ସୁଧା,

ସାରା ସଂସାରରେ ମେଣ୍ଟିଅଛି ଭଲା

କାହା ସୁଖଭୋଗକ୍ଷୁଧା !

ଏକା ଶୁକ୍ଳପକ୍ଷେ ଧରିତ୍ରୀ ସୁନ୍ଦରୀ

ମାସ ନ ପାରନ୍ତି କାଟି,

ବିଧାତା ବିଧାନେ ଆସି କୃଷ୍ଣପକ୍ଷ

ଦିଏ ଇନ୍ଦୁକଳା କାଟି ।

ତ୍ରିଯାମା-ଆଗମେ ରଥାଙ୍ଗମିଥୁନ

ଅନ୍ୟୋନ୍ୟୁଁ ଅନ୍ତର ହୋଇ

ବିକଳ ନିଃସ୍ୱନେ ବିଳାପୁ ଥାଆନ୍ତି

ପ୍ରତିକୁଳ କୂଳେ ଶୋଇ ।

ଉଷା-ଆଗମନେ ପଙ୍ଗଜିନୀ ଧନୀ

ନବଭାନୁ ରସେ ରସି

ବିସୋରି ସୁଦୀର୍ଘ ଯାମିନୀ ଯାତନା

ବିକସି ଉଠଇ ହସି ।

ନିଶା-ଆଗମନେ ପୁଣି ସେ ପଦ୍ମିନୀ

ନେତ୍ର କରେ ନିମୀଳିତ,

ନିଶାନାଥେ ଦେଖି କୁମୁଦିନୀ ଧନୀ

ହୁଏ ପ୍ରେମେ ଉନ୍ମୀଳିତ ।

ନିଶାତ୍ୟୟେ ସେହି କୁମୁଦ କୁସୁମ

ମଉଳି ପଡ଼ଇ ଢଳି,

ଏହିପରି ସୁଖ ଦୁଃଖେ ସମସ୍ତଙ୍କ

କାଳ ଯାଉଅଛି ଚଳି ।

ନବ ପ୍ରାବୃଟରେ ଜୀମୂତପଟଳ

ଅମ୍ବରେ ଦର୍ଶନ କରି

ମତ୍‌ ଷଡ଼୍‌ଜସ୍ୱରେ କଳାପିମିଥୁନ

ରାବୁଥାନ୍ତି ନୃତ୍ୟ କରି ।

ମୂଷଳ ଧାରାରେ ବରଷୁଁ ପର୍ଜନ୍ୟ

ବର୍ଷାଭୂଦମ୍ପତୀ ମୁଦେ

ଧୈବତ ସ୍ୱରେ ସେ ଗର୍ଜନ୍ତି ଗହଳେ

ନୀରବେଣୀରମ୍ୟ କୁଦେ ।

ବଳାହକପ୍ରିୟ ଦାତ୍ୟୁହ କପୋତ

ଆଦି ସର୍ବେ ତେଜି ନୃତ୍ୟ

ନଭେ କାଦମ୍ବିନୀ ଅଦୃଶ୍ୟ ହୁଅନ୍ତେ

ବରଜନ୍ତି ବର୍ଷାକୃତ୍ୟ ।

ଶବଳ ଶରତେ ତୋଟା କ୍ଷେତ ବାଡ଼େ

ପଠା କୁଦ ନଦୀତଟେ

ଶରତ ରାଜାଙ୍କ ମୁକୁଟ ଉପରି

ଶ୍ବେତଛତ୍ର ପରକଟେ ।

ମାନସ- ପ୍ରବାସୀ ମରାଳ ମିଥୁନ

ନଭେ ବାନ୍ଧି ଦୀର୍ଘ ପନ୍ତି

ମଦକଳରୁତେ ଉଚ୍ଚ ସୁନିର୍ମଳ

ଗଗନରେ ସନ୍ତରନ୍ତି ।

ବିମଳ ବିଭାତେ ଶିଶିର-ମଣ୍ଡନ

ଧରଣୀ ହରିତ ଅଙ୍ଗେ

ରାବନ୍ତି କଜ୍ଜଳ ପତ୍ରୀ କୁଜିକାକ

ଦୟାଳୁ ମୁନିଆ ରଙ୍ଗେ ।

ତୁତୀ ବଣୀ ଟିଆ ଶ୍ୟାମା ତାମ୍ର ଚୂଡ଼

ଭରତ ଶାରିକା ଶୁକ

ହଳଦିବସନ୍ତ କାଳିକା ଟେଣ୍ଟେଇ

ସାର ଆଦି ବାବଦୂକ ।

ସିଜୁ ଅଙ୍କୁ ବାଡ଼େ ଲଞ୍ଜାପିଢ଼ା ଡ଼ାଳେ

ଫୁଟେ ତୋରା ଜହ୍ନିଫୁଲ,

ବାଡ଼ ପାଶେ ପଥ, ନୀଳ ନଭେ ତାରା

ଛାୟାପଥ ଯାର ତୁଲ ।

କୋଟି କୋକନଦ ନବୀନା ଯୁବତୀ

ସମ ରମି ଜନଚକ୍ଷେ,

ଚାରୁ ତାମରସ ଲଭିଣ ହରଷେ

ଢଳନ୍ତି ସରସୀ ବକ୍ଷେ ।

ଆସନ୍ତେ ହେମନ୍ତ ବସୁନ୍ଧରା ଶିରୀ

ତୁଟି ଯାଏ ପଳକରେ,

ଅଳପ ଦିବସେ ଦିଶେ ମହୀ ମ୍ଳାନ

ଚିତ୍ର ବିଧି ବିଧାନରେ ।

ଏହିପରି ଜଡ଼ ଉଦ୍ଭିଦ ମାନବେ

ଲାଗିଛି ହର୍ଷ ବିଷାଦ,

ତେବେ କିପାଁ ମୁହିଁ ଭାଗ୍ୟକୁ ଆଦରି

ନ ତେଜିବି ଅବସାଦ ।

ଅଛି ପିତୃକୁଳ ଛନ୍ତି ପିତାମାତ ।

ଭ୍ରାତା ଭ୍ରତୃଜାୟା ସଖୀ,

ଅଛଇ ସ୍ୱଜାତି ସ୍ୱଦେଶରେ ସେବା

ଥିବି ଏ ଜୀବନେ ରଖି ।

ଅଛଇ ଦାରୁଣ କଷଣ ମୋ ଭାଲେ

ସହିବି ଲଲାଟ ଲେଖ,

କରିବି କଠିନ ଏ କୋମଳ ହିଆ

ରଖିବି ସତ୍ୟର ଟେକ ।

‘ସୁଖ’ ‘ସୁଖ’ ହୁରି ଛାଡ଼ନ୍ତି ସରବେ

ସୁଖ ନୁହେ ଚିରସ୍ଥାୟୀ,

ସୁଖକୁ ଲୋଡ଼ିଲେ ‘ସୁଖ’ ‘ସୁଖ’ ରାଇ

ସୁଖ ସେ ମିଳଇ ନାହିଁ ।

କଠିନ କର୍ତ୍ତବ୍ୟେ ପର-ଉପକାରେ

ଅଛଇ ସଞ୍ଚିତ ସୁଖ,

ସଂସାରେ ନିର୍ଲିପ୍ତ ହୋଇ ଦୂରେ ଥାଇ

ଏଡ଼ି ପାରେ ନର ଦୁଃଖ ।

ବିଷୟ-ବିଷକୁ ପିଇଲେ ବିଷାଦ-

ଜମ୍ବାଳେ ବୁଡ଼ନ୍ତି ନରେ,

ବୈରାଗ୍ୟ-ଶିଖରୁଁ ତଳ-ଲୀଳା-ଶୋଭା

ଜନ ଦରଶନ କରେ ।

ଶ୍ବାନ ସର୍ପ ବୃକ- ଦଂଶନେ ଯେ ପ୍ରାଣ

ପାରେ ଲବେ ଉଡ଼ି ଯାଇ,

ସେ ନଶ୍ୱର ପ୍ରାଣେ ସ୍ୱାଜାତି ସେବାରେ

ନ ଅର୍ପିବି କାହିଁପାଇଁ !

କେତେ ଜନମିବେ କେତେ ବା ମରିବେ

ଜନ୍ମିଲେ ମରଇ ଜୀବ;

କର୍ମ-ଶାସ୍ତ୍ରେ ମମ ସ୍ୱାର୍ଥତ୍ୟାଗ ବ୍ରତ

ଯାବତ ଚନ୍ଦ୍ରାର୍କ ଥିବ ।

ନିରାଶ ମାନବ ଦୁଃସହ ଦୁଃଖରେ

ପଡ଼ି ମୋ କାହାଣୀ ଶୁଣି

କାଳସିନ୍ଧୁ ନୀରେ ଜୀବନ ତରଣୀ

ଚଳାଇବ ଧୀରେ ପୁଣି ।

ଆଶାୟୀ ମାନବ ଆଶାନ୍ବିତ ହେଲେ

ଭବସିନ୍ଧୁ ନିମଗନ

ହେବ ଆଶାନ୍ବିତ କରି କାଳ ବେଳା

ପଦଚିହ୍ନ ଦରଶନ ।

Image